Categories: ମେଟ୍ରୋ

ଅବହେଳିତ ଅବସ୍ଥାରେ ଜୟଦେବ ପୀଠ

ବାଲିଅନ୍ତା,୧୭ା୧(ଡି.ଏନ.ଏ): ଗୀତ ଗୋବିନ୍ଦର ରଚୟିତା କବି ଜୟଦେବଙ୍କ ଜନ୍ମପୀଠ ବାଲିଅନ୍ତା ବ୍ଲକ କେନ୍ଦୁଲିକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ହେଲେ ଦୀପତଳ ଅନ୍ଧାର ଭଳି ଏହି ପର୍ଯ୍ୟଟନ କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ରହିଛି । ପୀଠ ପରିସର ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇପଡ଼ିଛି। ନାନା ଅବ୍ୟବସ୍ଥା ଯୋଗୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ପୀଠ ପରିସରରେ ଥିବା ଗଛଗୁଡ଼ିକ ଫନୀ ବାତ୍ୟାରେ ଭାଙ୍ଗି ପଡ଼ିଥିଲା। କିନ୍ତୁ ଏଯାବତ ସେଗୁଡ଼ିକୁ ଉଠାଯାଇ ନ ଥିବାରୁ ପରିବେଶ ଜଙ୍ଗଲମୟ ହୋଇଯାଇଛି। ଏହାର ସୌନ୍ଦର୍ଯ୍ୟ ଏକ ପ୍ରକାର ଅସଜଡ଼ା ରହିଛି । ପୀଠ ପରିସରର ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲାଣି । ପାଣି ଅଭାବରୁ ଗଛ ମରିଗଲାଣି । ପର୍ଯ୍ୟଟକଙ୍କୁ ପିଇବା ପାଇଁ ପାଣି ମୁନ୍ଦାଏ ମିଳୁନି। ୨ଟି କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଛି । ପୀଠର ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ପୀଠରେ ଥିବା ଲାଇଟ୍‌ ଭାଙ୍ଗିଯାଇଥିବାରୁ ରାତିରେ ଅନ୍ଧକାର ରହୁଛି। ପ୍ରବେଶ ପଥରେ ଶୋଭାପାଉଥିବା ଜଳଉତ୍ସ ଅଚଳ । ଚତୁଃପାର୍ଶ୍ୱରେ ଥିବା ଦଶଅବତାର ମୂର୍ତ୍ତି ଭାଙ୍ଗିଯାଇଛି। ପଦ୍ମାବତୀ ପୁଷ୍କରଣୀରେ ଥିବା କାଳୀୟଦଳନ ମୂର୍ତ୍ତି ବାତ୍ୟାରେ ପଡ଼ିଯାଇଥିଲେ ବି ପୁନରୁଦ୍ଧାର କରାଯାଉ ନାହିଁ। ପୀଠ ପରିସରରେ ଥିବା ୨ଟି ଶୌଚାଳୟ ଭାଙ୍ଗିରୁଜି ଗଲାଣି । ପର୍ଯ୍ୟଟକମାନଙ୍କ ପରିସ୍ରା ଓ ଶୌଚ ପାଇଁ ଜାଗା ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି । ଜୟଦେବ ସଂଗ୍ରହାଳୟଟି ଗତ ଏକ ବର୍ଷ ହେଲା ଖୋଲା ପଡ଼ିଛି । ପର୍ଯ୍ୟଟକମାନେ ସଂଗ୍ରହାଳୟ ଭିତରେ ଥିବା ବହୁ ପ୍ରାଚୀନ ସାମଗ୍ରୀକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ।
ଭୂତକୋଠି ପାଲଟିଥିବା ଗେଷ୍ଟ ହାଉସ୍‌ରେ ୧୧ଟି ବ୍ରୋଞ୍ଜ ନିର୍ମିତ ମାଧବ ମୂର୍ତ୍ତି ପଡ଼ି ରହିଛି। ଏଥିପ୍ରତି କାହାର ନଜର ନାହିଁ। ପ୍ରତିଦିନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। ମାତ୍ର ଦୁଇଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।
ଗୁରୁବାର ପୀଠ ବୁଲିବାକୁ ଆସିଥିବା ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂରାଜି ମାଧ୍ୟମ ବିଦ୍ୟାଳୟର ଶତାଧିକ ଛାତ୍ରୀ ପାଣି ପିଇବାକୁ ନ ପାଇ ହଇରାଣ ହୋଇଥିଲେ। ଶିକ୍ଷୟିତ୍ରୀ ଜସସ୍ମିତା ମିଶ୍ର କୁହନ୍ତି, ପୀଠ ପରିସରରେ ଅଳିଆ ଆବର୍ଜନା ଭର୍ତ୍ତି ଥିବା ଯୋଗୁ ପିଲାମାନେ ଖେଳିପାରି ନ ଥିଲେ
ଛାତ୍ରୀମାନେ ପରିସ୍ରା ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣୀ କୁହନ୍ତି, ଏହି ପୀଠଟି ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ । ଏହାର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ, ସଂସ୍ମୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ଜରୁରୀ। ଭାରପ୍ରାପ୍ତ ବିଡିଓ ରଶ୍ମିରେଖା ପ୍ରଧାନଙ୍କୁ ପୀଠରେ ଅବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରିବାରୁ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ ।
ଜୟଦେବ ବିଧାୟକ ଅରବିନ୍ଦ ଢାଲି କୁହନ୍ତି, ପୀଠର ଉନ୍ନତି କରାଯିବ । ସବୁ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ନୀଳମାଧବ ସାହୁ

Share