ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ ହୋଇ ରହିଛି। ସିରିଆବାହାଳ ଗ୍ରାମ ଠାରୁ କାଣ୍ଡେ ସାହି ୨କି.ମି. ରାସ୍ତା। ରାସ୍ତା ମଧ୍ୟରେ ରହିଛି ଦେବତା ନାଳ ଝରଣା ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ଥିବା ୪୦ରୁ ଊର୍ଦ୍ଧ୍ୱ ଛୁଆଙ୍କ ପାଠପଢାରେ ଡୋରି ଲାଗିଛି। ଉକ୍ତ ବସ୍ତିରେ ୨୫ରୁ ଊର୍ଦ୍ଧ୍ୱ ପରିବାର ଆଦିବାସୀ ଲୋକେ ବସବାସ କରନ୍ତି। ବସ୍ତି ବାସୀନ୍ଦାଙ୍କ ଝରଣା ପାଣି ଚିର ସହଚର। ବସ୍ତିରୁ ପଞ୍ଚାୟତକୁ ଆସିବାକୁ ହେଲେ ୪କି.ମି. ପାଦରେ ଚାଲି ପିଡିଏସ ସାମଗ୍ରୀ ନେଇଥାନ୍ତି। ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନଥିବା ଓ ପ୍ରାଥମିକ ସ୍କୁଲ ନ ଥିବା ଯୋଗୁ ଗାଁର ପିଲାମାନେ ପାଠ ପଢ଼ିପାରୁନାହାନ୍ତି। ସମସ୍ତ ପରିବାର ବିପିଏଲଧାରୀ ହୋଇଥିବା ବେଳେ ମାତ୍ର ୪ଜଣଙ୍କୁ ମିଳିଛି ଆବାସ ଯୋଜନା। ସେହିପରି ୧୦ରୁ ଊର୍ଦ୍ଧ୍ୱ ବିଧବା, ବୃଦ୍ଧାବୃଦ୍ଧ ଦୀର୍ଘଦିନ ହେବ ଭତ୍ତା ଅପେକ୍ଷାରେ ବ୍ଲକ ଆସି ନୟାନ୍ତ ହୋଇଥିବା ସ୍ଥାନୀୟ ୱାର୍ଡ ମେମ୍ବର ସୁବାଷ ପାତ୍ର ପ୍ରକାଶ କରିଛନ୍ତି। ସରକାରଙ୍କ ଉଦାସୀନତା ଓ ପଞ୍ଚାୟତ ପ୍ରତିନିଧିଙ୍କ ଅଣଦେଖା ପାଇଁ ଏହି ବସ୍ତି ଅବହେଳିତ ହୋଇପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ କଳ୍ପତରୁ ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବସ୍ତିରେ ଗୋଟିଏ ନଳକୂପ ରହିଛି । ତେବେ ଆଉ ଗୋଟିଏ ନଳକୂପ ଯୋଜନା ହୋଇଥିବା ବେଳେ ସିରିଆବାହାଳ ଠାରୁ କାଣ୍ଡେ ସାହି ପାଇଁ ଏମଜିଏନଆରଇଜିଏସ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ ହେବ। ଭତ୍ତା ଆବେଦନ କାରୀ ଭତ୍ତା ପର୍ଯ୍ୟାୟ କ୍ରମେ ପାଇବେ। ଅଙ୍ଗନୱାଡି କେନ୍ଦ୍ର ପାଇଁ ଶିଶୁ ପ୍ରକଳ୍ପ ଅଧିକାରୀଙ୍କ ଠାରେ ଆବେଦନ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share