ଅବହେଳିତ ଗାଁ ଗୋଧୂଳି

ଚମ୍ପୁଆ,୪।୯(ଡି.ଏନ.ଏ.)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ମାନ୍ୟତା ପାଇଥିବା ଗୋଧୂଳି ଗାଁ ଆଜି ଅବହେଳିତ। ରାସ୍ତା ଘାଟ ଠାରୁ ଆରମ୍ଭ କରି କମ୍ୟୁନିଟି ପାଇଖାନା ଓ ସ୍ବଚ୍ଛତା କ୍ଷେତ୍ରରେ ଏହାର ଉନ୍ନତି ଖୁବ ପଛରେ ପଡିଛି। ଚମ୍ପୁଆ ପଞ୍ଚାୟତ ସମୟରେ ତିନି ତିନି ଜଣ ସରପଞ୍ଚ ଓ ଏନଏସି ଆରମ୍ଭର ପ୍ରଥମ ଚେୟାରମ୍ୟାନ ଏହି ଗ୍ରାମରୁ ନିର୍ବାଚିତ ହୋଇଥିବାବେଳେ ଏହାର ଉନ୍ନତି ହୋଇ ନ ପାରିବା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିଛି। ସରପଞ୍ଚ, ଚେୟାରମ୍ୟାନ ଥାଇ ମଧ୍ୟ ଏହି ଗ୍ରାମ ଅଣଦେଖାର ଶିକାର ହେଉଛି।
ସୂଚନା ଅନୁସାରେ ଚମ୍ପୁଆ ଏନଏସିର ଉପାନ୍ତରେ ଅବସ୍ଥିତ ପାହାଡ ତଳି ଗାଁ ଗୋଧୂଳି ଏନଏସି ଗଠନ ପରେ ୧ନଂ ୱାର୍ଡର ମାନ୍ୟତା ପାଇଛି। ଏହି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯୮ ଭାଗ ଲୋକ ଆଦିବାସୀ ସମ୍ପ୍ରଦାୟର। କାଁ ଭାଁ କେତେଜଣଙ୍କୁ ଛାଡିଦେଲେ ପ୍ରାୟତଃ ସମସ୍ତେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଏକପଟେ ବୈତରଣୀ ନଦୀ ବୋହି ଯାଉଥିଲେ ମଧ୍ୟ ପାଣିବିନା ଅନେକ ସମୟରେ ଚାଷରେ କ୍ଷତି ସହୁଛନ୍ତି ଗୋଧୂଳି ଗ୍ରାମବାସୀ। ଏହି ଗ୍ରାମରେ ତଳସାହି, ମଝିସାହି, ଉପରସାହି, ବଙ୍କା ସାହି, ତିନିଘରିଆ ସାହି, ଭାଲିଆଢିପା ଓ ଦଳେଇ ସାହି ଆଦି ରହିଅଛି। କେବଳ ଭାଲିଆଢିପା ସାହିକୁ ଛାଡିଦେଲେ ଅନ୍ୟ କୌଣସି ସାହିରେ ରାସ୍ତା ଘାଟର ଉନ୍ନତି ହୋଇ ନ ଥିବା ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତ ଅଭିଯାନ ମଧ୍ୟ ଏଠାରେ କାମ କରୁ ନ ଥିବା ବେଳେ ଲଟା ଓ ବୁଦା ସହିତ ଗାଁ ଦାଣ୍ଡରେ ଭାସୁଥିବା ପଚାପାଣି ମଶା ମାନଙ୍କ ଆବାସ ସ୍ଥଳି ପାଲଟିଛି। ଦୀର୍ଘ ଦିନ ପୂର୍ବରୁ ଖୋଳାଯାଇଥିବା ଡ୍ରେନ ପୋତି ହୋଇପଡିଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା ଫେଲ ମାରିଛି। ଏନଏସି ପକ୍ଷରୁ ଗାଁର ଶେଷ ମୁଣ୍ଡରେ କରାଯାଇଥିବା କମ୍ୟୁନିଟି ପାଇଖାନା ଲୋକଙ୍କ କାମରେ ଲାଗୁନାହିଁ। ବାଧ୍ୟହୋଇ ଲୋକ ବାହାରେ ମଳତ୍ୟାଗ କରୁଥିବାରୁ ଏନଏସିର ମଳମୁକ୍ତ ଏନଏସି ଗଠନ ସ୍ବପ୍ନ ଅଧୁରା ରହିଯାଇଛି। ଏହି ଗାଁକୁ ଯିବାକୁ ହେଲେ ପଡୁଥିବା ଏକ ନାଳ ଉପରେ କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀ ଦିର୍ଘ ଦିନ ହେବ ଦାବି କରିଆସୁଥିଲେ ମଧ୍ୟ କେବଳ ରାସ୍ତା କଡରେ ହୋମ ପାଇପ ପକାଯାଇ ଲୋକଙ୍କ ମଧ୍ୟରେ କଲଭର୍ଟ ନିର୍ମାଣର ଆଶା ବଞ୍ଚାଇ ରଖାଯାଇଛି। ବର୍ଷା ଦିନେ ଉକ୍ତ ରାସ୍ତାରେ ଯାତାୟତ କରିବା ଦୁର୍ବିସହ ହୋଇପଡିଛି। ଗାଁ ପରିମଳ ଧୋବା ତଠରୁ ଢଗ ଅନୁସାରେ ଏହି ଗାଁର ପରିସ୍ଥିତି ଏହି ନାଳରୁ ଜଣାପଡିଥାଏ। ତେବେ ତୁରନ୍ତ ଏଥିପ୍ରତି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗୋଧୂଳିବାସୀ ଦାବି କରିଛନ୍ତି।