ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା

ବଅଁରପାଳ, ୩।୯ (ଡି.ଏନ୍‌.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ ସୁବିଧା ସାହିବାସୀଙ୍କ ନିକଟରେ ପହଞ୍ଚି ପାରୁନି। ଏଥିଯୋଗୁ ବିଭିନ୍ନ ଅସୁବିଧାରେ ଲୋକେ ହନ୍ତସନ୍ତ ହେଉଛନ୍ତି।
ସାହିବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ହେଲା ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପ୍ରାୟ ୨୦ ପରିବାର ପାଇଁ ୨ଟି ନଳକୂଅ ଥିବାବେଳେ ସେଥିରୁ ବାହାରୁ ଥିବା ଲୁହାଗୁଣ୍ଡ ମିଶା ପାଣି ପିଇବା ଉପଯୋଗୀ ହେଉନାହିଁ। ଫଳରେ ପାଖ ଗ୍ରାମକୁ ଯାଇ ପାଣି ବୋହି ଆଣିବାକୁ ପଡୁଛି। ସେହିପରି ସାହିକୁ ପାଇପ ପାଣି ଯୋଗାଣ ପାଇଁ ପଏଣ୍ଟ ସ୍ଥାପନ ହୋଇଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଅନ୍ୟପକ୍ଷରେ ସାହିକୁ ଆସିଥିବା ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ପାଣି କାଦୁଅରେ ରାସ୍ତା ଭର୍ତ୍ତି ହୋଇଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଦାବି ସତ୍ତ୍ୱେ ଏଠାରେ ରାସ୍ତାଟିଏ ନିର୍ମାଣ କରିବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯିବାକୁ ସାହିର ଭବାନୀ ଗୋଚ୍ଛାୟତ, ଲବଙ୍ଗ ଗୋଚ୍ଛାୟତ, ସନ୍ଧ୍ୟା ଗୋଚ୍ଛାୟତ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କୁହନ୍ତି, ମୋ ପାଖରେ ଅଭିଯୋଗ ନାହିଁ। ଯଦି ଏପରି ଥାଏ ତାହେଲେ ଏଥିପ୍ରତି ଦୃଷ୍ଟି ଦିଆଯିବ।