ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାର ଲାଗି ଗଢି ଉଠିଥିଲା ଏହି ଶିକ୍ଷାନୁଷ୍ଠାନ। ଗାଁ ମୁଣ୍ଡରେ ଥିବା ଏକ ୩ କୋଠରି ବିଶିଷ୍ଟ ଚାଳ ଘରେ ପିଲାଙ୍କୁ ପାଠପଢା ଯାଉଛି। ସେହି କୋଠରିକୁ ମଧ୍ୟ ଛାତ୍ରାବାସ ଭାବେ ବ୍ୟବହାର କରାଯାଉଛି। ବର୍ତ୍ତମାନ ୧୧୯ ଅନ୍ତେବାସୀ ଅଧ୍ୟୟନ କରୁଛନ୍ତି। ଝାଟିମାଟିରେ ତିଆରି ଆଜବେଷ୍ଟସ୍‌ ଛପର ତଳେ ବିଦ୍ୟାଳୟ ଚାଲିଥିଲେ ମଧ୍ୟ ଏଥିପ୍ରତି ଶିକ୍ଷା ବିଭାଗର ନଜର ନାହିଁ ା ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ମଧ୍ୟରେ ଏଠାରେ ପାଠ ପଢୁଥିବା ପିଲାମାନେ ସମସ୍ତେ ଜନଜାତି ସମ୍ପ୍ରଦାୟର ା ମୟୂରଭଞ୍ଜ ଜିଲାରୁ ଏଠାକୁ ପାଠ ପଢ଼ିବାକୁ ଆସି ଦୁର୍ଦ୍ଦଶାମୟ ଜୀବନ ବିତାଉଛନ୍ତି।
୧୯୮୮ରେ ପ୍ରତିଷ୍ଠା ଲାଭ କରିଥିବା ଦୂରଦେଇ ସଂସ୍କୃତ ବିଦ୍ୟାଳୟ ଆରମ୍ଭରୁ ଅନେକ ସଂଘର୍ଷ ପଥ ଦେଇ ଗତି କରି ଆସିଛି ା ପ୍ରଥମେ ଯେଉଁ ସ୍ଥାନରେ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା ସେହି ଜାଗାକୁ ନେଇ ବିବାଦ ଉପୁଜିବାରୁ ପରେ ଏହା ନୂଆ ଜାଗାକୁ ଉଠି ଆସିଛି ା ସେହି ଜାଗା ଶିକ୍ଷାନୁଷ୍ଠାନ ନାମରେ ମଧ୍ୟ ହୋଇ ସାରିଛି। ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇ ନ ଥିବାରୁ ଶିକ୍ଷାନୁଷ୍ଠାନ ଚାଲିଥିବା ସ୍ଥାନକୁ ଯାତାୟାତର ସୁବିଧା ନାହିଁ ା ସାଧାରଣ ଗାଡି କିମ୍ବା ଆମ୍ବୁଲାନ୍ସ ଯିବା ଅସମ୍ଭବ ା ବର୍ଷାଦିନେ ହିଡ ଭଳି ପଡିଥିବା ଅଣଓସାରିଆ ରାସ୍ତା ଏକମାତ୍ର ବିକଳ୍ପ ା ଦୂରରୁ ଦେଖିଲେ କେହି ଏହାକୁ ଶିକ୍ଷାନୁଷ୍ଠାନ ବୋଲି ଭାବିବେ ନାହିଁ ା ଝାଟିମାଟିରେ ତିଆରି ଘର ଅବସ୍ଥା ଭଲ ନାହଁି ବୋଲି ଅନ୍ତେବାସୀ କହିଛନ୍ତି। ଗୋଟିଏ ଛପର ତଳେ ଥିବା ୩ କୋଠରି ମଧ୍ୟରୁ ୨ଟିରେ ବିଦ୍ୟାଳୟ ଏବଂ ଛାତ୍ରାବାସ ଚାଲଛି । ଅନ୍ୟ ଏକ କୋଠରିରେ ଖାଦ୍ୟ ରନ୍ଧାଯାଉଛି ା ଦିନବେଳା ବେଞ୍ଚ ଡେସ୍କରେ ବସି ପିଲାମାନେ ପାଠ ପଢନ୍ତି । ରାତିରେ ସେହି ବେଞ୍ଚ ଡେସ୍କରେ ବସି ଖାଇବା ପରେ ଶୋଇପଡନ୍ତି । ବର୍ଷାଦିନେ ଘର ତଳି ମାଟି ସନ୍ତସନ୍ତିଆ ହୋଇ ଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ଲାଗି ରହୁଛି। ଘରର କେତେକ ସ୍ଥାନରେ ଥିବା ଗାତରୁ ସାପ ବାହାରୁଥିବା ୧୦ମ ଶ୍ରେଣୀ ଛାତ୍ର ବ୍ରଜ ଜାରକା କହିଛନ୍ତି । ସେଠାରେ ଥିବା ପଲିଥିନ ଘେରା ପାଇଖାନା ଦେଖିଲେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କେତେ ସଫଳ ତାହା ଅନୁମାନ କରିହୁଏ।
୧୯୯୨ରେ ସ୍ବୀକୃତି ଲାଭ କରିଥିବା ଏହି ଶିକ୍ଷାନୁଷ୍ଠାନର ପରିବେଶ ତଥା ଭିତ୍ତିଭୂମର ବିକାଶ ଲାଗି ଶିକ୍ଷା ପ୍ରଶାସନ କେବେ ଦୃଷ୍ଟି ଦେଇ ନ ଥିବାରୁ ଏହା ଅବହେଳିତ ହୋଇରହିଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ସମ୍ପ୍ରତି ପଞ୍ଚାୟତ ମାଧ୍ୟମରେ ଚତୁର୍ଦ୍ଦଶ ଅର୍ଥ କମିଶନରୁ ବିଦ୍ୟାଳୟର ପାଚେରି ନିର୍ମାଣ ଲାଗି ୧ଲକ୍ଷ ଟଙ୍କା ଦିଆଯାଇଛି ା ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ବୃଦ୍ଧି ହେବା ଦରକାର ବୋଲି ନବମ ଶ୍ରେଣୀର ଛାତ୍ର ଗେଡେ ହେମ୍ରମ କହିଛନ୍ତି ା ଏ ସମ୍ପର୍କରେ ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଶଙ୍ଖୁଆଙ୍କୁ ପଚାରିବାରୁ କହିଛନ୍ତି, ଭିତ୍ତିଭୂମିର ବିକାଶ ଲାଗି ଅର୍ଥ ମଞ୍ଜୁରୀ ମିଳିଛି। ବର୍ଷା ଋତୁ ପରେ ଛାତଘର ନିର୍ମାଣ କରାଯାଇ ପିଲାଙ୍କୁ ସ୍ଥାନାନ୍ତର କରାଯିବ ା