ଅବହେଳିତ ସୋଲା ଚାଷୀ: ମିଳୁନି ପ୍ରୋତ୍ସାହନ, ଜଳସେଚନ ଓ ବଜାର ସମସ୍ୟା

କେନ୍ଦୁଝର, ୩୦।୧୨(ସ୍ବ.ପ୍ର.)- ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡ଼କମଣ୍ଡରା ଓ ଆଖପାଖ ଅଞ୍ଚଳର ସୋଲା ଚାଷୀ ଉପକୃତ ହୋଇପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ସୋଲା ଚାଷକରି ପରିବାର ଗୁଜୁରାଣ କରୁଛନ୍ତି ା ବଜାର ଅଭାବରୁ କେନ୍ଦୁଝର ସହରକୁ ଆସି ଶୀତୁଆ ସକାଳ ଓ ବର୍ଷାରେ ରାସ୍ତାକଡ଼ରେ ବେପାରୀଙ୍କ ଅପେକ୍ଷାରେ ବସିବାକୁ ପଡୁଛି ା ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଉପରେ ସେମାନେ ନିର୍ଭର କରି ଚାଷ କରିଥାନ୍ତି ା ଚଳିତ ବର୍ଷ କମ୍‌ ବର୍ଷା ଯୋଗୁ ପୂର୍ବ ବର୍ଷ ଅପେକ୍ଷା କମ୍‌ ଅମଳ ହୋଇଥିବା ଚାଷୀମାନେ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମରେ ପାଖାପାଖି ୨୬୦ ଘର ରହିଥିବା ବେଳେ ପ୍ରାୟ ସମସ୍ତେ ଧାନଚାଷ ପରେ ଏହି ସୋଲା ଚାଷକରି ପରିବାର ଚଳାଇଥାନ୍ତି। ଏହି ଅଞ୍ଚଳର ମାଟି ସୋଲା ଚାଷ ପାଇଁ ଉତ୍କୃଷ୍ଟ। ଏଣୁ ଏ ନେଇ ପ୍ରଶାସନ ପକ୍ଷରୁ ସହାୟତା ଓ ପ୍ରୋତ୍ସାହନ ମିଳିଲେ ଉକ୍ତ ଅଞ୍ଚଳବାସୀ ଅଧିକ ଲାଭବାନ ହୋଇପାରନ୍ତେ ା ଏହାଛଡା ବିଲାତି, ହରଡ଼, ବିରି ଆଦି ଚାଷକରି ଭଲରେ ଚଳିଆସୁଛନ୍ତି ା ଅନେକ ସମୟରେ ବେପାରୀମାନେ ସେମାନଙ୍କ ଘରକୁ ଯାଇ ବିଭିନ୍ନ ଶସ୍ୟ କିଣିଆଣନ୍ତି। ଆଉ ଅନେକ ସମୟରେ ସେମାନଙ୍କୁ ହାଟବଜାର ବୁଲି ବିକିବାକୁ ପଡୁଛି ବୋଲି ସେମାନେ କହିଛନ୍ତି। ଏହି ଗ୍ରାମରୁ ଜିଲା ତଥା ଜିଲା ବାହାରକୁ ସୋଲା ଚାଲାଣ ହୋଇଥାଏ। କଞ୍ଚା ସୋଲା ଛଡ଼ାଇ ଖାଇବାକୁ ସମସ୍ତେ ଭଲ ପାଆନ୍ତି ା ଏଣୁ କଞ୍ଚା ସୋଲା ଗଛରୁ ସେମାନେ ଅଧିକ ଲାଭ କରିଥାନ୍ତି ା ବିଡ଼ା ବାହାରେ ୧୦ ଟଙ୍କାରେ ବିକ୍ରି ହୋଇଥାଏ ା କିନ୍ତୁ ବେପାରୀ ମାନେ ୧୦୦ ଟଙ୍କାରେ ୧୩୦ରୁ ୧୫୦ ବିଡ଼ା ପର୍ଯ୍ୟନ୍ତ କିଣି ନେଇଥାନ୍ତି ବୋଲି ଚାଷୀ କହିଛନ୍ତି। ପାଖରେ କଇଁଝରୀ ନାଳ ବୋହିଯାଇଛି। ଏହି ନାଳ ଗୋନାସିକା ପାହାଡ଼ ଅଞ୍ଚଳରୁ ବାହାରିଛି। ଏହି ନାଳର ଖୁଣ୍ଟବନ୍ଧ, ଡୁମୁରିଆ ନିକଟରେ ବନ୍ଧ ହେଲେ ଏଭଳି ଚାଷକରି ବଞ୍ଚୁଥିବା ବଡ଼କମଣ୍ଡରା, ସାନକମଣ୍ଡରା, କୁଟୁବନ୍ଧ, ମହୁଲପଶି, ହାତୀନୋଟା, ବ୍ରାହ୍ମଣୀପଙ୍ଗା ଆଦି ଆଖପାଖ ଅଞ୍ଚଳର ବହୁ ଚାଷୀ ଉପକୃତ ହୋଇପାରନ୍ତେ ଏବଂ ବର୍ଷତମାମ ଚାଷ କରିପାରନ୍ତେ ବୋଲି କହିଛନ୍ତି। ଚାଷ କରି ଏହି ଅଞ୍ଚଳର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ସରକାରଙ୍କ ପକ୍ଷରୁ ମୌଳିକ ସୁବିଧା ମିଳୁ ନ ଥିଲେ ହେଁ ଲୋକମାନେ ଭଲରେ ଚଳୁଥିବା କହିଛନ୍ତି। ଏହି ସୋଲାଗଛ ଶୁଖିଲେ ଏହା କେଜି ଦରରେ ବିକ୍ରି ହୋଇଥାଏ। ଏହାର ଚାହିଦା ସବୁଠି ରହିଛି। ବାହାରୁ ଏହି ସୋଲା ଆସୁଥିବା ବେଳେ ପ୍ରୋତ୍ସାହନ ମିଳିଲେ ଏଠାରେ ଏହାକୁ ଶୁଖାଇ ବିକ୍ରିବଟା କରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି ସୋଲା ଚାଷୀମାନେ କହିଛନ୍ତି। ତେବେ କଞ୍ଚା ସୋଲାରେ ଅଧିକ ଲାଭ ବୋଲି ସେମାନେ ମନେ କରି ବିକିଥାନ୍ତି ା ଏହି ସୋଲାକୁ ତରକାରି କରି ଖାଇଥାନ୍ତି ଏବଂ ଗୁଣ୍ଡ କରି ଏଥିରୁ ଛତୁଆ, ବେସନ ଆଦି ପ୍ରସ୍ତୁତ ହୋଇଥାଏ ା ଏହାକୁ ବିଭିନ୍ନ ଏସ୍‌ଏଚ୍‌ଜି ସହ ଲିଙ୍କ୍‌ କରାଯାଇପାରିଲେ ଏହା ଏକ ଶିଳ୍ପର ରୂପ ନେଇପାରନ୍ତା ବୋଲି ମତପ୍ରକାଶ ପାଉଛି ା