ଅବାଧରେ ଚାଲିଛି ମୋରମ ଚାଲାଣ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ପୋଲିସ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏହାକୁ ରୋକିବା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହଁି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବିଭିନ୍ନ ସଂଗଠନ ଓ ଯୁବକ ସଂଘ ତରଫରୁ ଚେତାବନୀ ଦିଆଯାଇଛି।
ଉଲ୍ଳେଖନୀୟ ଯେ, ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରୁ ଦୈନିକ ରାତିରେ ମୋରମ ବୋଝେଇ ଗାଡି ରୂପ୍‌ସା ରାସ୍ତା ଦେଇ ୬୦ନଂ. ଜାତୀୟ ରାଜପଥକୁ ଚଳାଚଳ କରୁଛି। ଭାରିଯାନ ଚଳାଚଳ ଯୋଗୁ ବୈଶିଙ୍ଗା-ରୂପ୍‌ସା ରାସ୍ତା ଓ ରୂପ୍‌ସା-ବସ୍‌ଷ୍ଟାଣ୍ଡ ରାସ୍ତା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅପରପକ୍ଷେ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ମୋରମ ବେପାରୀଙ୍କୁ ସୁଯୋଗ ଦିଆଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ବସ୍ତା ତହସିଲ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ଲଛମନଖୁଣ୍ଟା ମୌଜା ଅଞ୍ଚଳରୁ ଅବାଧରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କାର ମୋରମ୍‌ ଲୁଟ୍‌ ହେଉଥିଲା। ପଞ୍ଚାୟତ ତରଫରୁ ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏହାକୁ ବିରୋଧ କରିବା ପରେ ପ୍ରଶାସନ ବାଧ୍ୟ ହୋଇ ସେଠାରେ ୧୪୪ ଧାରା ଜାରି କରିବା ସହ ମୋରମ ଚାଲାଣକୁ ବନ୍ଦ କରିଛି। ହେଲେ ମୋରମ ବ୍ୟବସାୟୀମାନେ ଏବେ ମୟୂରଭଞ୍ଜ ଅଞ୍ଚଳରୁ ମେଶିିନ ଯୋଗେ ମୋରମ ଖୋଳି ବାଲେଶ୍ୱର, ମୟୂରଭଞ୍ଜ ଜିଲା ସମେତ ପଡୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ଦେଖାଯାଉଛି। ପ୍ରଶାସନ ସବୁ ଜାଣିଶୁଣି ନୀରବ ରହିବା ନେଇ ସାଧାରଣରେ ନାନା ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସଦର ତହସିଲ୍‌ଦାର ପଞ୍ଚାନନ ପାତ୍ରଙ୍କୁ ପଚରାଯିବାରୁ ବେଆଇନ ମୋରମ ଚାଲାଣ ରୋକିବା ଦିଗରେ ବିଭାଗ ତରଫରୁ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।