ଅବ୍ୟବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ: ନାମକୁ ମାତ୍ର ସିକ୍ୟୁରିଟି ବ୍ୟବସ୍ଥା, ନିଷେଧାଦେଶ ସତ୍ତ୍ୱେ ହେଉଛି ପାର୍କିଂ

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ନାମକୁ ମାତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିଛି। ସିକ୍ୟୁରିଟି ଗାର୍ଡମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ୟୁନିଫର୍ମ ପରିଧାନ କରି ଏଣେତେଣେ ଟହଲ ମାରୁଛନ୍ତି। ନୋ ପାର୍କିଂ ଜୋନ୍‌ରେ ସିକ୍ୟୁରିଟି ନିଜେ ଡ୍ୟୁଟି କରୁଥିଲେ ସୁଦ୍ଧା ଲୋକେ ଯାନବାହନ ପାର୍କିଂ କରି ଡାକ୍ତରଖାନାର ସମ୍ମୁଖ ଭାଗରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି। ଡାକ୍ତରଖାନାକୁ ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ଯାନଗୁଡିକ ପାଇଁ ସମସ୍ୟା ସୃଷ୍ଟି ହେଉଛି। ମେଡିକାଲ କର୍ତ୍ତୃପକ୍ଷ ସବୁ ଦେଖି ନ ଦେଖିଲା ପରି ରହିବା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିଛି। ଡାକ୍ତରଖାନା ସମ୍ମୁଖରେ ଥିବା ଗଛମୂଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବସାଉଠା କରୁଥିବା ବେଳେ ନିଷେଧାଦେଶ ସତ୍ତ୍ୱେ ସେଠାରେ ମାଳ ମାଳ ବାଇକ୍‌ , ଚାରିଚକିଆ ଯାନ ପାର୍କିଂ କରାଯାଉଛି। ହେଲେ ସିକ୍ୟୁରିଟି ବାବୁମାନେ ସବୁ ଦେଖି ନ ଦେଖିଲା ଭଳି ଚୁପ ହୋଇ ରହୁଛନ୍ତି। ଜଣଙ୍କର ଡ୍ୟୁଟି ସରିଲେ ଆଉ ଜଣେ ଆସୁଛନ୍ତି ହେଲେ କାହାରି ଏଥିପ୍ରତି ନଜର ନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ରୋଗୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି ବୋଲି କୁହାଯାଉଛି।