ଅବ୍ୟବସ୍ଥାରେ କରୋନା ଯୋଦ୍ଧାଙ୍କ କ୍ୱାରାଣ୍ଟାଇନ୍‌ ସେଣ୍ଟର: ଭିଡିଓ ଭାଇରାଲ

ରାୟବରେଲୀ,୨୪।୪: ସରକାର ସବୁବେଳେ କରୋନା ଯୋଦ୍ଧାଙ୍କ ସମ୍ମାନ ଓ ସୁରକ୍ଷା ବିଷୟରେ କହୁଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀରେ। କୋଭିଡ-୧୯ ରେଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାୟବରେଲୀର ବଛରାଓ୍ବା ଗ୍ରାମରେ ଥିବା ଏକ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଡାକ୍ତରମାନେ ରହୁଥିବା ସ୍କୁଲ ଘରେ ଫ୍ୟାନ ଚାଲୁଛି ନା ରହିଛି ସ୍ବଚ୍ଛ ଶୌଚାଳୟ। ପୂର୍ବରୁ ଜଣଙ୍କ ପିଛା ଗୋଟିଏ ପାଣି ବୋତଲ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ୨୫ଜଣଙ୍କୁ ୨୦ଲିଟରର ମାତ୍ର ଗୋଟିଏ ପାଣି ବୋତଲ ଦିଆଯାଇଥିବା ଜଣାପଡ଼ିଛି। ଯାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନ ଥିବା ବେଳେ ଠିକ୍‌ ସମୟରେ ମଧ୍ୟ ଦିଆଯାଉନ ଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଖାଇବା ପାଇଁ ଖାଦ୍ୟ ମଧ୍ୟ ସେମାନଙ୍କୁ ପଲିଥିନ୍‌ରେ ଦିଆଯାଉଛି ଏବଂ ରାତିସାରା ସେଠାରେ ବିଜୁଳି ମଧ୍ୟ ରହୁ ନ ଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଯଦି ଜଣଙ୍କୁ ସଂକ୍ରମଣ ହୁଏ ତେବେ ଅନ୍ୟମାନଙ୍କ ମଧ୍ୟ ହେବାର ଆଶଙ୍କା ରହୁଛି। ତେଣୁ ସରକାରଙ୍କ ଅସଲି ମୁଖା ସାମ୍ନାକୁ ଆଣିବା ପାଇଁ ଡାକ୍ତରମାନେ ବୁଧବାର ୩ଟି ଭିଡିଓ ଜାରି କରିଥିଲେ। ଏଥିସହ ସିଏମ୍‌ଙ୍କୁ ଏନେଇ ଏକ ଚିଠି ଲେଖି ଅଭିଯୋଗ ଜଣାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ସରକାର ତତ୍ପରତା ଦେଖାଇଛନ୍ତି। ରାତାରାତି ଡାକ୍ତର ଓ ସ୍ବାସ୍ଥକର୍ମୀଙ୍କ ପାଇଁ ସରକାର ଗେଷ୍ଟ ହାଉସ୍‌ର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସଂକ୍ରମଣ ବ୍ୟାପିବା ଭୟରେ ସେମାନେ ଘରକୁ ମଧ୍ୟ ଯାଇ ପାରୁନାହାନ୍ତି। ତେଣୁ ସେମାନଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍କୁଲ ଘର, ଗେଷ୍ଟ ହାଉସ୍‌ ଓ ହୋଟେଲର ବ୍ୟବସ୍ଥା କରାଯାଇଛି। ହେଲେ ରାୟବରେଲୀର ସ୍କୁଲ ଘରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରର ଭିଡିଓରେ ଅବ୍ୟବସ୍ଥା ଓ ଅସ୍ବଚ୍ଛତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଯାହା ଅତି ନିନ୍ଦନୀୟ।

Share