ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର

ବାଲିଆ, ୧।୪:  କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ପଞ୍ଚାୟତର ଯେ କୌଣସି ବିଦ୍ୟାଳୟରେ ଏହି ସେଣ୍ଟର କରାଯାଇପାରିବ। ବ୍ଲକ ପ୍ରଶାସନ ବା ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମେତ ସହକାରୀ ଯନ୍ତ୍ରୀ, ବିଡିଓଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ କ୍ୱରାଣ୍ଟାଇନ ସେଣ୍ଟର କରିବେ। ଏବଂ ସଂଦିଗ୍ଧ ରୋଗୀମାନଙ୍କୁ ସେଠାରେ ସଂଗରୋଧ ଭାବେ ରଖାଯାଇ ଆବଶ୍ୟକ ଚିକିତ୍ସା, ଖାଦ୍ୟ ଯୋଗାଇଦିଆଯିବ। ପ୍ରଥମେ ଉକ୍ତ ସ୍କୁଲକୁ ରଙ୍ଗ କରାଯାଇ ସ୍ବଚ୍ଛ କରିବା ସହ ଅତିକମ୍‌ରେ ୧୦ ବେଡ୍‌ ପଡିବ ଏବଂ ଖଟ ଉପରେ ପଡ଼ିଥିବା ଗଦି ବା ବେଡସିଟ ଓ ତକିଆ ନୁଆ ହୋଇଥିବା ଦରକାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ବିରିଡି ବ୍ଲକରେ କେତେକ ପଞ୍ଚାୟତରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଘୋର ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। ଅଳ୍ପ କେତେକ ପଞ୍ଚାୟତକୁ ଛାଡି ଦେଲେ ବ୍ଲକର କେତେକ ପଞ୍ଚାୟତରେ ଏ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ ସେଣ୍ଟର ଆରମ୍ଭ ହୋଇପାରିନାହିଁ। ଆଉ କେତେକ ପଞ୍ଚାୟତରେ ଅବଶ୍ୟକ ବେଡ୍‌ ପକା ଯାଇ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ସେଣ୍ଟରରେ ବେଡ ଉପରେ ପୁରୁଣା ବେଡସିଟ୍‌ ପକାଯାଇଥିବା ମଧ୍ୟ ଦେଖାଯାଇଛି। ସେହିପରି ସ୍ବସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୨୮୪ ବିଦେଶ ଫେରନ୍ତା ନାମ ପଞ୍ଜୀକୃତ କରିଥିବା ବେଳେ କୌଣସି ଗୋଟିଏ କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ହେଲେ ରହିଥିବା ଦେଖିବାକୁ ମିଳିନାହିଁ। ତେବେ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share