ଅବ୍ୟବସ୍ଥାରେ ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୨୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି। ବିଭାଗୀୟ ଅଧିକାରୀ ପରିଦର୍ଶନରେ ଯାଉ ନ ଥିବାବେଳେ ଶିକ୍ଷକମାନେ ନିୟମିତ ଆସୁ ନାହାନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ସରାମୁଳି ପଞ୍ଚାୟତ ମାର୍ଦ୍ଦିପଙ୍କା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବ୍ଲକ ସଦରମହକୁମା ଠାରୁ ପ୍ରାୟ ୭୦ କିମି ଦୂର ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ରହିଛି ମାର୍ଦ୍ଦିପଙ୍କା ବିଦ୍ୟାଳୟ। ପ୍ରଥମରୁ ୭ମ ପର୍ଯ୍ୟନ୍ତ ମୋଟ ୬୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୪ ଜଣ ଶିକ୍ଷକ ରହିଛନ୍ତି, ହେଲେ ଶନିବାର ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ଦାରିଙ୍ଗବାଡ଼ି ଯାଇଥିବା ବେଳେ ଅନ୍ୟ ୨ ଜଣ ଶିକ୍ଷକ କୌଣସି କାରଣରୁ ଅନୁପସ୍ଥିତ ଥିଲେ। ଜଣେ ଶିକ୍ଷକ ୭ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ କେବଳ ଜଗି ବସିଥିଲେ। ସେହିପରି ମଧ୍ୟାହ୍ନ ଭୋଜନ ମଧ୍ୟ ଅତି ନିମ୍ନମାନର ଦିଆଯାଉଥିବା ଜଣାପଡ଼ିଛି। ଶନିବାର ପିଲାଙ୍କୁ ଅଣ୍ଡା ତରକାରୀ ଦିଆଯିବା ନିୟମ ରହିଥିବାବେଳେ କେବଳ ସିଝା ଅଣ୍ଡା ସହ ପାଣିଆ ଡାଲି ଦିଆଯାଇଥିଲା। ଛାତ୍ରୀଛାତ୍ର ଏଣେତେଣେ ବସି ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ନିକଟରେ କୁକୁର, ଘୁଷୁରି, ଛେଳି ଏବଂ କୁକୁଡ଼ା ବିଚରଣ କରୁଥିଲେ। ଅଞ୍ଚଳରେ ଅନେକ ସମୟରେ ସ୍ବାଇନ୍‌ଫ୍ଲୁ ଭଳି ରୋଗ ହେବା ନଜିର ରହିଥିବାବେଳେ ଏଥିପ୍ରତି ବିଦ୍ୟାଳୟର ଶିକ୍ଷକଙ୍କର କିନ୍ତୁ ନିଘା ନାହିଁ। ଏନେଇ ଶନିବାର ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସୁଧାଶୁଂ ମୁଠାମାଝୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଦ୍ୟାଳୟରେ ପାଚେରି ନଥିବା ଯୋଗୁ ବେଧଡ଼କ ଘୁଷୁରୀ, କୁକୁର ଆଦି ବିଦ୍ୟାଳୟ ପରିସରକୁ ପଶି ଆସୁଛନ୍ତି। ଏନେଇ ଜିଲା ପ୍ରଶାସନଠାରୁ ସ୍ଥାନୀୟ ପ୍ରଶାସନ, ସରପଞ୍ଚ ଏବଂ ବିଇଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ପଦକ୍ଷେପ ନେଉନାହାନ୍ତି। ସେହିପରି ପାଣିଆ ଡାଲି ସମ୍ପର୍କରେ ସେ କହିଛନ୍ତି ଯେ ଅଣ୍ଡାତରକାରୀ ଦେବାର ନିୟମ ରହିଛି। ହେଲେ ପିଲାମାନେ ତରକାରୀ ବଦଳରେ ଶିଝା ଅଣ୍ଡା ଖାଇବାକୁ ଭଲ ପାଉଛନ୍ତି। ଏବଂ ତରକାରୀ ବଦଳରେ ଡାଲି କରାଯାଇଛି। ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୧କେଜି ଡାଲି ପକାଯାଇଥିବା ସେ କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଶିକ୍ଷକ ୨ ଜଣ ଛୁଟିରେ ଥିବା ସେ ଜାଣିନାହାନ୍ତି। ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସେ ଶୀଘ୍ର ତଦନ୍ତ କରି ପଦକ୍ଷେପ ନେବେ।

Share