ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା କେତେ ତାହା ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ ଗ୍ରାମରେ ଅବସ୍ଥାପିତ ୧୧୦ ବର୍ଷର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ସହଜରେ ଜଣାପଡେ। ୧୯୧୦ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ୯୯ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ଶିକ୍ଷାଦାନ ପାଇଁ ଅଛନ୍ତି ୭ଜଣ ଶିକ୍ଷକ। ପୂର୍ବରୁ ଏଠାରେ ପ୍ରଥମ ଶ୍ରେଣୀଠାରୁ ୭ମ ପର୍ଯ୍ୟନ୍ତ ରହିଥିଲା। କିଛିବର୍ଷ ହେଲା ୮ମ ଶ୍ରେଣୀ ଖୋଲିଛି ା ୮ ଶ୍ରେଣୀ ପାଇଁ ୭ଟି ଶ୍ରେଣୀଗୃହ ରହିଛି। ପୁଣି ସେଥିରୁ ଗୋଟିଏ ଗୃହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦିଆଯାଇଛି ା ସ୍ବତନ୍ତ୍ର ରୋଷେଇ ଗୃହ ନ ଥିବାରୁ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା ଏକ ବିପଦପୂର୍ଣ୍ଣ ଗୃହରେ ରୋଷେଇ କର୍ଯ୍ୟ ଚାଲୁରହିଛି ା ସ୍କୁଲ ପରିସରରେ ଦୁଇଟି ଅର୍ଦ୍ଧନିର୍ମିତ ଗୃହ ଥିବାବେଳେ ଆଉ ଚାରିବଖରା ଆଜବେଷ୍ଟସ୍‌ ଘର ଫନୀ ବାତ୍ୟାରେ ଭାଙ୍ଗିଯାଇଛି। ଫନୀକୁ ଆଠମାସ ବିତିଯାଇଥିଲେ ମଧ୍ୟ ସହାୟତା କେବଳ କାଗଜ କଲମରେ ସୀମିତ ରହିଛି ା ଏ ନେଇ ଶିକ୍ଷକ ଅମ୍ଲାନ ପ୍ରହରାଜ କୁହନ୍ତି, ଫନୀରେ ଭାଙ୍ଗିଯାଇଥିବା ସ୍କୁଲ ଗୃହ ନିମନ୍ତେ ୨ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଛି, ହେଲେ ଏଯାଏ ମିଳିନି। ଏହି ଅର୍ଥରାଶି ମିଳିଲେ ଅର୍ଦ୍ଧନିର୍ମିତ ଗୃହ ଶେଷ ହୋଇପାରନ୍ତା। ଟାଙ୍ଗୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅବଧୂତ ଚମ୍ପତିଙ୍କୁ ପଚାରିବାରୁ ସେ ବ୍ଲକ୍‌ କର୍ତ୍ତୃପକ୍ଷ ସହାୟତା ଦେଇ ନ ଥିବା କହିଥିଲେ। ଟାଙ୍ଗୀ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ୍‌ ରିସିଭ୍‌ କରି ନ ଥିଲେ।