ଅବ୍ୟବସ୍ଥା ଘେରରେ ବନ୍ଦସାହି ପ୍ରାଥମିକ ବିଦ୍ୟାଳୟ : ଗୋଟିଏ ଗୃହରେ ପଢ଼ୁଛନ୍ତି ୫ ଶ୍ରେଣୀର ଛାତ୍ରୀଛାତ୍ର

ଦଶରଥପୁର,୨ା୯(ଡିଏନ୍‌ଏ) : ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତ ବନ୍ଧସାହି ପ୍ରାଥମିକ ବିଦ୍ୟାଳୟ ୧୯୬୯ ମସିହାରୁ ପ୍ରତିଷ୍ଠା ହୋଇଛି। ଏହି ବିଦ୍ୟାଳୟଟି ଦଳିତ ସାହିରେ ପ୍ରତିଷ୍ଠା କରାଯାଇଥିବାବେଳେ ଏଠାରେ ଶତକଡା ୯୨ଭାଗ ଛାତ୍ରୀଛାତ୍ର ଦଳିତ ବୋଲି ଜଣାଯାଇଛି। ହରିଜନ ଓ ଆଦିବାସୀ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ମାତ୍ର ଏହି ବିଦ୍ୟାଳୟକୁ ସମସ୍ତ ସୁବିଧା ସୁଯୋଗ ସତେ ଯେପରି ଅପହଞ୍ଚ ପାଲଟିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଯାଏ ମୋଟ୍‌ ୭୪ଜଣ ପିଲା ଅଧ୍ୟୟନ କରୁଛନ୍ତି। ସେଥିରୁ ୬୮ଜଣ ଛାତ୍ରୀଛାତ୍ର ଦଳିତ ଅଟନ୍ତି। ତେବେ ଏଠାରେ ଗୋଟିଏ ଶ୍ରେଣୀଗୃହ ଥିବାରୁ ୧ମରୁ ୫ ଯାଏ ସମସ୍ତ ଛାତ୍ରୀଛାତ୍ର କୋଠରୀରେ ବସି ପଢିବା ପାଇଁ ବାଧ୍ୟ ହୋଇଥାନ୍ତି। ଏହା ସହିତ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ମାତ୍ର ସହକାରୀ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ଅପରପକ୍ଷେ ଗୋଟିଏ ଶ୍ରେଣୀରେ ପ୍ରଥମରୁ ପଞ୍ଚମ ଯାଏ ପିଲା ବସୁଥିବାରୁ ଗୋଟିଏ ଶ୍ରେଣୀର ପିଲାଙ୍କୁ ଶିକ୍ଷୟିତ୍ରୀଶିକ୍ଷକ ପାଠ ପଢାଇଲେ ଅନ୍ୟଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଏଠାରେ ବସି ରହିବାକୁ ପଡିଥାଏ। ଏହାଛଡା ଦୀର୍ଘବର୍ଷ ତଳୁ ଏହି ବିଦ୍ୟାଳୟର କୋଠରୀ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ବିପଦସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି। ବିଦ୍ୟାଳୟ ସମ୍ମୁଖ ଢଳେଇ ହୋଇ ନ ଥିବାରୁ ସାମାନ୍ୟ ବର୍ଷାରେ ବିଦ୍ୟାଳୟ ପରିସର କାଦୁଅରେ ଭର୍ତ୍ତି ହୋଇଯାଏ। ଏହାଛଡା ପାଚେରି ନ ଥିବା କାରଣରୁ ବିଦ୍ୟାଳୟ ପରିସର ସେମାନଙ୍କ ଚରା ଭୂଇଁ ପାଲଟିଛି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସୂତ କୁମାର ମହାପାତ୍ର ପ୍ରତ୍ୟେକ ଦିନ ବିଦ୍ୟାଳୟର ଖେଳଛୁଟିରେ ଘରକୁ ଯାଇ ୩ଟାପରେ ବିଦ୍ୟାଳୟକୁ ଫେରୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସାଧାରଣ ନିର୍ବାଚନରେ ସମ୍ପୃକ୍ତ ବିଦ୍ୟାଳୟରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ରି-ପୁଲିଂ ବୁଥ୍‌ କରାଯାଇଥିବାବେଳେ ବିଧାୟିକା ମଲ୍ଲିକ ଏହି ବୁଥକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ସାହିର ଦଳିତ ଲୋକେ ବିଧାୟିକାଙ୍କୁ ବିଦ୍ୟାଳୟର ଅଧିକ ଶ୍ରେଣୀ ଗୃହ, ପାଚେରି ଏବଂ ବିଦ୍ୟାଳୟ ପରିସରକୁ ଢଳାଇ କରିବା ପାଇଁ ଜଣାଇଥିଲାବେଳେ ବିଧାୟକ ମଧ୍ୟ ସମସ୍ତ କାର୍ଯ୍ୟ ଖୁବ୍‌ଣୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତି ଏଯାବତ୍‌ ପୂରଣ ହେଲା ନାହିଁ। ଖେଳ ଛୁଟିରେ ଅଧିକ ସମୟ ଘରକୁ ଚାଲିଯାଉଥିବା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ସେ ଜଣେ ମଧୁମେହ ରୋଗୀ। ତେଣୁ ଔଷଧ ଖାଇବା ପାଇଁ ଘରକୁ ଯାଇଥାନ୍ତି। ଏହାକୁ ନେଇ ଅଭିଭାବକମାନେ ଯଦି ଅଭିଯୋଗ କରୁଛନ୍ତି ତେବେ ସେ ଆଉ ଯିବେ ନାହିଁ ବୋଲି କହିଥିଲେ।