ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ

କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ ଏବେ ଅନେକ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ୭୨୮ ଜଣ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ରହଛି। କିନ୍ତୁ ଏବେ ୬୩୦ ଜଣ ବିଚାରାଧୀନ କଏଦୀଙ୍କୁ ମିଶାଇ ମୋଟ ୯୨୯ ଜଣ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟ ରହିଛନ୍ତି। ଏହି ଜେଲର ସୁରକ୍ଷା ବ୍ୟବସ୍ଥା ସୁବୁଠୁ ଢିଲା। ବିଭିନ୍ନ ସମୟରେ ଜେଲ ଭିତରେ ମୋବାଇଲ, ନିଶାଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ହେଉଛି। ଜେଲରେ ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରହୁନି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଜେଲରେ ରୋଷେଇ ସାମଗ୍ରୀ ଯୋଗାଇବାକୁ ଟେଣ୍ଡର ଦିଆଯାଉଛି। ଫଳରେ ସେମାନଙ୍କ ଦ୍ୱାରା ଜେଲ ଭିତରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଆସୁଛି। ଏହି ସମସ୍ତ କାର୍ଯ୍ୟରେ ଜେଲରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କର ସମ୍ପୃକ୍ତି ରହୁଥିବା ନେଇ କଏଦୀମାନେ ଅଭିଯୋଗ କରିଛନ୍ତି।
ଗତ ଏପ୍ରିଲରେ ବହୁ ଚର୍ଚ୍ଚିତ ଶେଖ୍‌ବଜାର କେଶବ ବେହେରା(କେଶିଆ) ହତ୍ୟା ଘଟଣାରେ ଆଜୀବନ ସଜା କଟୁଥିବା ଶୁଭ୍ରାଂଶୁ କୁମାର ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ତେବେ ଶୁଭ୍ରାଂଶୁ ମୃତ୍ୟୁର କିଛିଦିନ ପୂର୍ବରୁ ଜେଲ୍‌ ଭିତରୁ ଏକ ଭିଡିଓ ଭାଇରାଲ କରିଥିଲେ। ଜେଲ ଭିତରେ ବେଆଇନ ନିଶାଦ୍ରବ୍ୟ କାରବାର ହେଉଥିବା ଉକ୍ତ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ଜେଲ କର୍ତ୍ତୃପକ୍ଷ ଶୁଭ୍ରାଂଶୁଙ୍କୁ ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରବର୍ତ୍ତୀ ସମୟରେ ପରିବାର ଲୋକେ ଅଭିଯୋଗ କରିଥିଲେ, ଯାହା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଚୌଦ୍ୱାର ଜେଲରେ ୨୨ ଫୁଟ ଉଚ୍ଚତାର ପାଚେରି ରହିଛି। ହେଲେ ଏହି ପାଚେରି ଦେଇ ଜେଲ ଭିତରକୁ ନିଶାଦ୍ରବ୍ୟ ଫୋପଡା ଯାଉଛି। ଆବଶ୍ୟକ ସୁରକ୍ଷା କର୍ମୀ ରହୁ ନ ଥିବାରୁ ଜେଲ ଭିତରେ ନିଶାଦ୍ରବ୍ୟ ପଡିବା ପରେ କଏଦୀମାନେ ଆସି ନେଇ ଯାଉଛନ୍ତି। ଏବେ ଜେଲରେ ଅଫିସରଙ୍କୁ ମିଶାଇ ମୋଟ ୧୦୦ ଜଣ କର୍ମଚାରୀ ଅଛନ୍ତି। ଯଦି କଏଦୀଙ୍କ ଅନୁପାତରେ ସୁରକ୍ଷା କର୍ମୀଙ୍କୁ ଦେଖାଯାଏ ତାହା ବହୁତ କମ୍‌। ଏପରି ସ୍ଥଳେ ଜେଲରେ ଲାଗିଥିବା ସିସିଟିଭି ମଧ୍ୟରୁ କେତେକ ଅଚଳ ହୋଇପଡିଛି।
ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ୍ତ କୁମାର ବେହେରା କୁହନ୍ତି, ଜେଲରେ ଆବଶ୍ୟକତା ଠାରୁ କମ୍‌ ସୁରକ୍ଷାକର୍ମୀ ଅଛନ୍ତି। ଫଳରେ ଠିକ୍‌ଭାବେ ଯାଞ୍ଚ କରିବାରେ ତ୍ରୁଟି ରହୁଛି। କେତେକ କ୍ଷେତ୍ରରେ ପାଚେରି ଦେଇ ନିଶାଦ୍ରବ୍ୟ ଆସୁଛି। ଏହାକୁ ରୋକିବା ପାଇଁ ଆମେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ। ଅନ୍ୟପକ୍ଷରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଉପରେ ଆମେ ତଦନ୍ତ କରୁଛୁ। ଯଦି କାହାର ସମ୍ପୃକ୍ତି ଏଥିରେ ରହିଥିବ ତା’ ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫନୀ ପ୍ରଭାବରେ ଅଚଳ ହୋଇପଡିଥିବା ସିସିଟିଭିକୁ ମରାମତି କରାଯିବା ପାଇଁ ଚେଷ୍ଟା ଚଳାଇଛୁ।

Share