ଅଭାବୀ ବିକ୍ରି ହୋଇପାରେ ୨୦ ହଜାର କୁଇଣ୍ଟାଲ ଧାନ

କୁନ୍ଦୁରା,୧୩।୨(ଡି.ଏନ୍‌.ଏ.) କୋରାପୁଟ ଜିଲାରେ ଚଳିତବର୍ଷ ଖରିଫ ଋତୁରେ ଅମଳ ଧାନ ବିକ୍ରି କରିବା କିମ୍ବା ଚାଷୀ ପଞ୍ଜୀକୃତ ହେବାରେ ପ୍ରଶାସନ ଯେଉଁ ଦାୟିତ୍ୱହୀନତା ଦେଖାଇଛି, ସେଥିରେ ପ୍ରଭାବିତ ହୋଇଛନ୍ତି ଶତାଧିକ ଚାଷୀ। ସେମାନେ ଧାନ ବିକି ନ ପାରି ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଯାବତ୍‌ ସେମାନଙ୍କ ନିକଟରେ ୨୦ ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି।
ଗତ ଦିନରେ ଖାଦ୍ୟ ଯୋଗାଣ ବିଭାଗ ଖରିଫ ମଣ୍ଡିରେ ପଞ୍ଜକରଣ ଓ ଧାନ ବିକ୍ରି ପାଇଁ ଯେଉଁ ସମୟ ନିର୍ଦ୍ଧାରଣ କରିଥିଲା, ସେହି ସମୟସୀମା କମ୍‌ ଓ ପ୍ରଶାସନରେ ଅବହେଳା ଯୋଗୁ ଚାଷୀ ପଞ୍ଜୀକୃତ ହୋଇ ନ ପାରି ବିକିବାରେ ବାଧା ସୃଷ୍ଟି ହୋଇଛି।  ଚଳିତ ଖରିଫ ଋତୁର ଧାନକୁ ରାଣୀଗୁଡ଼ା ମଣ୍ଡିର ପ୍ରାୟ ୩୦ ଜଣ ଚାଷୀ ବିକ୍ରି କରିବାର ୩ ମାସ ପରେ ମଧ୍ୟ ପ୍ରାପ୍ୟ ପାଇ ନାହାନ୍ତି। ଗତ ବର୍ଷରେ ଯେତିକି ଦିନ ଯାଏ ଧାନ ବିକ୍ରି ସମୟ ସୀମା ରହିଥିଲା, ସେତିକି ଦିନ ଯାଏ ଯେଉଁ ଚାଷୀଙ୍କ ଅବହେଳିତ ଅବସ୍ଥାରେ ପଞ୍ଜୀକୃତ ହୋଇପାରୁ ନ ଥିଲା, ତାର ପଞ୍ଜୀକୃତ ହୋଇ ଧାନ ବିକ୍ରି କରାଯାଉଥଲା ା କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ହଠାତ୍‌ ଅକ୍ଟୋବର ୩୧ରେ ପଞ୍ଜୀକୃତ ସୀମା ଶେଷ ହେଉଥିବା ବେଳେ ଚାଷୀ ସଚେତନ ହୋଇପାରି ନ ଥିଲେ। ଫଳରେ ଜୟପୁର ଉପଖଣ୍ଡର ପ୍ରାୟ ୩୨୮ ଜଣ ଚାଷୀ ପଞ୍ଜୀକୃତ ହେବାରୁ ବଞ୍ଚତ୍ତ ହୋଇଥିବା ବେଳେ କୁନ୍ଦୁରା ବ୍ଲକରେ ୧୫୫ ଜଣ ସେହିପରି ରହିଥିଲେ। ସମସ୍ତ ଚାଷୀଙ୍କ ପ୍ରାୟ ୨୦ ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇପାରି ନାହିଁ। ଚାଷୀ ସେହି ଧାନକୁ ଦଲାଲଙ୍କୁ ୧୦୦୦ରୁ ୧୨୦୦ ଟଙ୍କାରେ ବିକିବା ପାଇଁ ବାଧ୍ୟହେବେ। ବର୍ତ୍ତମାନ ପରିସ୍ଥିତିରେ ଚାଷୀକୁଳ ମଣ୍ଡିସ୍ଥଳ ରାସ୍ତାରେ ଗଦେଇ ରଖିବା ଯୋଗୁ ଅଦିନିଆ ବର୍ଷାରେ ତାହା କିଛି ମାତ୍ରାରେ ଭିଜିଯାଇଛି। ଗତ ଦିନରେ ପ୍ରଶାସନକୁ ଖାଦ୍ୟ ଯୋଗାଣ ବିଭାଗ ଭାଗଚାଷୀଙ୍କ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଧିମେଇ ଯାଇଛି। ପ୍ରଶାସନର ଅବହେଳାକୁ ନେଇ ପଞ୍ଜୀକୃତ ହୋଇ ନ ଥିବା ଚାଷୀକୁଳ ଓ ମାନବାଧିକାର କମିଟି ଲ୍ୟାମ୍ପସ୍‌ ଘେରାଉ କରିବା ସହ ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ଏ ନେଇ ସବିଶେଷ ବିବରଣୀ ମାଗିଥିଲେ। ବର୍ତ୍ତମାନ ଚାଷୀଙ୍କ ନିକଟରେ ରହିଥିବା ଧାନକୁ ଅଭାବୀ ବିକ୍ରି କରିବେ ନା କ୍ରୟକାରୀ ସଂସ୍ଥା ନିକଟରେ ବିକିବେ, ସେନେଇ ପରିସ୍ଥିତି ଜଟିଳ ହୋଇଛି।

Share