ଅଭିନବ ପ୍ରୟାସ

ଓଡ଼ିଆ ସିନେମାର ବର୍ତ୍ତମାନର ଅବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ସିନେମା ଦେଖିବାକୁ ଦର୍ଶକ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନ୍ୟ ପ୍ରାନ୍ତୀୟ ସିନେମାରୁ ଅଧିକାଂଶ ଓଡ଼ିଆ ସିନେମା କପି କରାଯାଉଛି-ଏପରି ଅନେକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି। ତଥାପି ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବାକୁ କେତେ ଜଣ ପ୍ରଯୋଜକ ଅଣ୍ଟା ଭିଡିଛନ୍ତି। ଆଉ ଏପରି ଅଭିନବ ପ୍ରୟାସର ମଙ୍ଗ ଧରିଛନ୍ତି ପ୍ରଯୋଜକ ତଥା ଆଗଧାଡିର ଇଭେଣ୍ଟ ମ୍ୟାନେଜର ରମେଶ ବାରିକ। ଏହି ଗ୍ରୁପ୍‌ର ଚେୟାରମ୍ୟାନ ଦାୟିତ୍ୱ ସେ ନିର୍ବାହ କରୁଥିବାବେଳେ ଲୁଟୁ ମହାନ୍ତି (ସଭାପତି), ଲୋକନାଥ ଦାଶ (ଉପସଭାପତି), ରବୀନ୍ଦ୍ର ପଣ୍ଡା (ସମ୍ପାଦକ) ଏବଂ ଶ୍ରୀଧର ମାର୍ଥା (ସହ ସମ୍ପାଦକ) ଅଛନ୍ତି। ନିଜର ଆଭିମୁଖ୍ୟ ସମ୍ପର୍କରେ ରମେଶ କହନ୍ତି, ‘ଆମେ ପଞ୍ଚୁ ପାଣ୍ଡବ ଏକାଠି ହେବା ପରେ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଆ ସିନେମା ପ୍ରତି ଆମର କି କର୍ତ୍ତବ୍ୟ ରହିଛି ତାହା ସ୍ଥିର କରି ଆଗଉଛୁ। ସିନେମା ପ୍ରଯୋଜନା ତ ଜାରି ରହିବ। ତା’ସହ ଓଡ଼ିଆ କଳାକାରଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଆମେ ‘ଷ୍ଟାର ଫିଲ୍ମ ଆଓ୍ବାର୍ଡ’ ପ୍ରଦାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ। ମୋ ମତରେ ଆମ ପାଖରେ ଅନେକ ନିଚ୍ଛକ କାହାଣୀ ରହିଛି, ଯାହାକୁ ନେଇ ସୁନ୍ଦର ଓଡ଼ିଆ ସିନେମା ନିର୍ମାଣ କରିହେବ। ଏ ନେଇ ପ୍ରୟାସ ଜାରି ରଖିବୁ। ଏ ପର୍ଯ୍ୟନ୍ତ ମଁୁ ଯେତୋଟି ଓଡିଆ ସିନେମା ପ୍ରସ୍ତୁତ କରିଛି ସେଥିରେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦେଇଛି। ଆମର ଏପରି ଅଭିନବ ପ୍ରୟାସକୁ ଓଡ଼ିଆ ସିନେପ୍ରେମୀଙ୍କ ପ୍ରେରଣା ନିଶ୍ଚୟ ଆଗକୁ ଆଗେଇ ନେବ। ଅନ୍ୟପକ୍ଷରେ ବେଶ୍‌ କେତୋଟି ରିୟାଲିଟି ଶୋ’ ଆୟୋଜନ କରିବା ପରେ ମୁଁ ଏଥିପ୍ରତି ମଧ୍ୟ ଗୁରୁତ୍ୱ ଦେବି।’ ସୂଚନାଯୋଗ୍ୟ ‘ଟାଇଗର’, ‘ରୋମିଓ ଜୁଲିଅଟ୍‌’, ‘ଜଷ୍ଟ ମୋହବତ୍‌’, ‘ଦେଖାହେଲା ପ୍ରେମ ହେଲା’, ‘ବ୍ରେକ୍‌ଅପ୍‌ ଲଭ୍‌’ ପରେ ରମେଶ ଏବେ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ସମ୍ବିତ, ଦେବଜାନୀ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ନିର୍ମିତ ହେବାକୁ ଯାଉଥିବା ଏକ ଅନଟାଇଟଲଡ୍‌ ଫିଲ୍ମର ପ୍ରାରମ୍ଭିକ କାମରେ ବ୍ୟସ୍ତ ଅଛନ୍ତି।

Share