ଅଭିନେତ୍ରୀଙ୍କ ପ୍ରେମ ଠକେଇ, ମୁମ୍ବାଇରୁ ଭୁବନେଶ୍ୱର

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ମାଟ୍ରିମୋନି ସାଇଟ୍‌ରେ ଉଭୟଙ୍କର ହୋଇଥିଲା ପରିଚୟ। ତା’ପରେ ପ୍ରେମ ଆଉ ପ୍ରତାରଣା। ପ୍ରେମ ଓ ବିବାହ ବାହାନାରେ ପ୍ରେମିକଙ୍କଠାରୁ ଟଙ୍କା ଓ ସାମଗ୍ରୀ ହାତେଇନେବା ପରେ ପ୍ରତାରଣା କରିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ। ମୁମ୍ବାଇରୁ ଭୁବନେଶ୍ୱର ଯାଏ ଲମ୍ବିଥିବା ଏହି ହାଇପ୍ରୋଫାଇଲ୍‌ ଠକେଇ ପଦାକୁ ଆସିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରେମ, ପ୍ରଚାରଣା ଓ ଠକେଇର ଶିକାର ହୋଇଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର। ସେ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇ ସେ ଏକାଧିକଥର ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ପ୍ରତାରଣା ଓ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ଅନୁପ ସାହୁଙ୍କୁ ମେଲ୍‌ ଯୋଗେ ଅଭିଯୋଗ କରିଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ବିଶାଖାପାଟଣାର ଶିବ କୁମାର ମୁମ୍ବାଇଲେ ଚାକିରି କରନ୍ତି। ସେ ବିବାହ କରିବା ଲାଗି ୨୦୧୮ ଅଗଷ୍ଟରେ ମାଟ୍ରିମୋନିଆଲ ସାଇଟରେ ଏକ ଆକାଉଣ୍ଟ ଖୋଲିଥିଲେ। ଉକ୍ତ ସାଇଟରେ ରାଜୁଙ୍କ ପ୍ରୋଫାଇଲ ଦେଖି ଓଲିଉଡ୍‌ର ଜଣେ ଅଭିନେତ୍ରୀ ତାଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟେ କିଛି ଦିନ ଫୋନ୍‌ରେ ବାର୍ତ୍ତାଳାପ କରିଥିଲେ। ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ସଂପୃକ୍ତ ଅଭିନେତ୍ରୀ ଜଣକ ୨ଲକ୍ଷ ଟଙ୍କା ନେଇଥିଲେ। ଏହାର କିଛିଦିନ ପରେ ଦେଢ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପଟପ ମଧ୍ୟ ନେଇଥିଲେ। ଶିବକୁମାର ତାଙ୍କୁ ବିବାହ ପାଇଁ କହିବାରୁ ସେ ମନା କରି ଦେଇଥିଲେ। ଏପରି କି ତାଙ୍କୁ ଫୋନ୍‌ କଲେ ବଳାତ୍କାର ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ। ବାଧ୍ୟହୋଇ ଶିବକୁବାର ମୁମ୍ବାଇରୁ ଦୁଇଥର ଭୁବନେଶ୍ୱର ଆସିଥିଲେ। ପ୍ରକୃତ ଘଟଣା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାହାକୁ ଗ୍ରହଣ କରି ନ ଥିଲା। ଶେଷରେ ଏନେଇ ସେ ପୋଲିସ କମିଶନରଙ୍କୁ ଜଣାଇଛନ୍ତି।

Share