ଅଭିନେତ୍ରୀ କାମିନୀ କୌଶଲ

ବିଂଶ ଶତାବ୍ଦୀର ଚାଳିଶରୁ ଷାଠିଏ ଦଶକ ମଧ୍ୟରେ ଅତ୍ୟନ୍ତ ସକ୍ରିୟ ଭାବେ ହିନ୍ଦୀ ଚିତ୍ର ଜଗତରେ ଅଭିନୟ ଜାରି ରଖିଥିବା ତଥା ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାମିନୀ କୌଶଲ। ସେ ଏବେ ପରିଣତ ବୟସରେ। ମାତ୍ର ଅଭିନୟକୁ ହାତଛଡ଼ା କରିନାହାନ୍ତି। ନିକଟରେ ‘କବୀର ସିଂ’ ଫିଲ୍ମରେ ନାୟକର ଦାଦିମା’ ଭୂମିକାରେ ଅଭିନୟ କରି ସେ ପୁଣିଥରେ ବଡ଼ପରଦାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାମିନୀ କେବଳ ସିନେମାରେ ନୁହେଁ; ଛୋଟ ପରଦାରେ ମଧ୍ୟ ବେଶ୍‌ ସକ୍ରିୟ ଥିଲେ। ସେ ସେତିକିବେଳେ ଫିଲ୍ମକୁ ଆସିଲେ ଯେତେବେଳେ ଉଚ୍ଚଶିକ୍ଷିତା ସୁନ୍ଦରୀ ଝିଅମାନେ ଚଳଚ୍ଚିତ୍ରରେ ଅଭିନୟ କରିବା ତ ଦୂରର କଥା ପ୍ରେକ୍ଷାଳୟ ଯାଇ ଫିଲ୍ମ ଦେଖିବାକୁ ବି ନାପସନ୍ଦ କରୁଥିଲେ। କାମିନୀଙ୍କର ପ୍ରଥମ ଫିଲ୍ମ ହେଉଛି ‘ନୀଚା ନଗର’। ଏହିଫିଲ୍ମଟି କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବା ସହିତ ‘ଗୋଲ୍ଡେନ୍‌ ପାମ୍‌’ ପୁରସ୍କାର ହାସଲ କରିପାରିଥିଲା। ସେହିଭଳି ତାଙ୍କର ଅନ୍ୟ ଏକ ଫିଲ୍ମ ହେଉଛି ‘ବିରାଜ ବୋହୂ’। ଏହି ଫିଲ୍ମ ପାଇଁ ସେ ଫିଲ୍ମଫେୟାର ବେଷ୍ଟ ଆକ୍ଟ୍ରେସ୍‌ ଆଓ୍ବାର୍ଡ ହାସଲ କରିଥିଲେ।

ଗୋଲ୍ଡେନ୍‌ ଏରା: ୧୯୪୬ରୁ ୧୯୬୩କୁ କାମିନୀ କୌଶଲଙ୍କ ପାଇଁ ଗୋଲ୍ଡେନ୍‌ ଏରା ବୋଲି କୁହାଯାଇଥାଏ। ଏହି ସମୟଖଣ୍ଡରେ ସେ ନାୟିକା ଭାବେ ଅଭିନୟ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଦୋ ଭାଇ, ଶହୀଦ, ନଦିୟା କେ ପାର, ଜିଦ୍ଦି, ସବନମ୍‌, ପାରସ୍‌, ନମୁନା, ଆର୍‌ଜୁ, ଝଞ୍ଜର, ଆବରୁ, ବଡ଼େ ସରକାର, ଜେଲର, ନାଇଟ୍‌ କ୍ଲବ୍‌, ଗୋଦାନ ଏବଂ ଆହୁରି ଅନେକ। ସେ ଦିଲୀପ କୁମାର, ରାଜେଶ ଖାନ୍ନା, ସଞ୍ଜୀବ କୁମାର, ମନୋଜ କୁମାର ଆଦି ଅନେକ ନାୟକଙ୍କର ନାୟିକା ସାଜି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ତାଙ୍କର ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଦୋ ରାସ୍ତେ, ପ୍ରେମନଗର, ମହାଚୋର, ଅନହୋନି, ଉପକାର, ପୁରବ ଔର ପଶ୍ଚିମ, ଶୋର, ରୁଟି କପଡ଼ା ଔର ମକାନ, ସନ୍ନ୍ୟାସୀ, ଦଶ ନମ୍ବରୀ, ସନ୍ତୋଷ।

ଜନ୍ମ ଓ ପରିବାର: କାମିନୀଙ୍କର ଜନ୍ମ ଲାହୋର୍‌ରେ। ତାଙ୍କର ପିତୃଦତ୍ତ ନାମ ହେଉଛି ଉମା କାଶ୍ୟପ। ଦୁଇଭାଇରେ ସେମାନେ ଥିଲେ ତିନି ଭଉଣୀ। ସେ ପରିବାରର ଥିଲେ ସବା ସାନ ସନ୍ତାନ। ବାପା ପ୍ରଫେସର ଶିବରାମ କାଶ୍ୟପ ଲାହୋର ସ୍ଥିତ ପଞ୍ଜାବ ୟୁନିଭର୍ସିଟିର ବୋଟାନି ପ୍ରଫେସର ଥିଲେ। ପ୍ରଫେସର କାଶ୍ୟପଙ୍କୁ ଭାରତୀୟ ଉଦ୍ଭିଦ ବିଜ୍ଞାନର ଜନକ ବା ଫାଦର ଅଫ୍‌ ଇଣ୍ଡିଆନ୍‌ ବୋଟାନି ବୋଲି କୁହାଯାଇଥାଏ। ସେ ଜଣେ ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ଥିଲେ ଏବଂ ୬ ଗୋଟି ନୂତନ ପ୍ରଜାତିର ଉଦ୍ଭିଦ ଆବିଷ୍କାର କରିଥିଲେ। ତେବେ କାମିନୀଙ୍କ ଭାଗ୍ୟରେ ବାପାଙ୍କ ସ୍ନେହ ନ ଥିଲା। କାରଣ ତାଙ୍କୁ ଯେତେବେଳେ ସାତବର୍ଷ ବୟସ ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। କାମିନୀ ଲାହୋରରୁ ଇଂଲିଶ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଚେତନ ଆନନ୍ଦ ହିଁ ତାଙ୍କୁ ଫିଲ୍ମ ଲାଇନ୍‌କୁ ଆସିବା ପାଇଁ ପ୍ରରୋଚିତ କରିଥିଲେ।

ବାଲ୍ୟକାଳ ଓ ବିବାହ: ତାଙ୍କର ପିଲାବେଳଠୁ କୈଶୋର ବେଶ୍‌ ମଜାଦାର ଥିଲା। ସ୍କୁଲରେ ସେ ଜଣେ ଭଲ ଛାତ୍ରୀ ଥିଲେ। ସେ ସନ୍ତରଣପଟୁ ଥିଲେ। ସେହିଭଳି ସ୍କେଟିଂ କରିବାରେ ତାଙ୍କର ରୁଚି ଥିଲା। ଏତଦ୍‌ବ୍ୟତୀତ ଆକାଶବାଣୀରେ ମଧ୍ୟ ବେତାର ନାଟକ କରୁଥିଲେ। ସେଥିପାଇଁ ତାଙ୍କୁ ପ୍ରତି ନାଟକରେ ଦଶଟଙ୍କା ମିଳୁଥିଲା। ତାଙ୍କର ଜଣେ ଭଉଣୀ ବମ୍ବେ ପୋର୍ଟ ଟ୍ରଷ୍ଟର ଇଞ୍ଜିନିୟର ବି.ଏସ୍‌.ସୁଦ୍‌ଙ୍କୁ ବିବାହ କରିଥିଲେ। ମାତ୍ର ସେହି ଭଉଣୀର ଏକ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଲା। କାମିନୀଙ୍କୁ ତାଙ୍କର ଭିଣୋଇ ସୁଦ୍‌ଙ୍କୁ ବିବାହ କରିବାକୁ ପଡ଼ିଲା। ସୁଦ୍‌ଙ୍କୁ ବିବାହ କରିବା ପରେ ସେ ବମ୍ବେ ଚାଲିଆସିଲେ। ତାଙ୍କ ଭଉଣୀର ପିଲାମାନଙ୍କର ଦେଖାଶୁଣା କଲେ। ବଡ଼ ଭଉଣୀଙ୍କର ଦୁଇଝିଅ ଥିଲେ। ପରେ ସେ ମଧ୍ୟ ତିନୋଟି ପୁତ୍ର ସନ୍ତାନର ମା’ ହୋଇଥିଲେ।

କ୍ୟାରିୟର: କାମିନୀଙ୍କର ଅଭିନେତ୍ରୀ ହେବାର କୌଣସି ସ୍ବପ୍ନ ନ ଥିଲା। ଅବଶ୍ୟ ସେ ଆକାଶବାଣୀରେ ଅଭିନୟ କରୁଥିଲେ। ପୁଣି କଲେଜରେ ଡ୍ରାମା କରୁଥିଲେ। ତାଙ୍କର ପରିବାର ଏକ ଜ୍ଞାନୀ ପରିବାର ଥିଲା। ତଥାପି ସେମାନଙ୍କୁ ପ୍ରଚୁର ସ୍ବାଧୀନତା ମିଳିଥିଲା। ସୁଦ୍‌ଙ୍କୁ ବିବାହ କରି ମୁମ୍ବାଇ ଆସିବା ପରେ ଚେତନ ଆନନ୍ଦ ହିଁ ତାଙ୍କୁ ପ୍ରଥମେ ଫିଲ୍ମ ଅଫର କରିଥିଲେ। ତାହା ଥିଲା ‘ନୀଚା ନଗର’। ଏହି ଫିଲ୍ମ ତାଙ୍କୁ କେବଳ ହିରୋଇନ୍‌ କରିଦେଇ ନ ଥିଲା; ଅଧିକନ୍ତୁ ତାଙ୍କୁ ଏକ ନୂଆ ନାମ ମଧ୍ୟ ଦେଇଥିଲା। ଚେତନ ଆନନ୍ଦଙ୍କ ସ୍ତ୍ରୀ ଉମା ଆନନ୍ଦ ଫିଲ୍ମ ସହିତ ଜଡ଼ିତ ଥିଲେ। କାମିନୀଙ୍କର ନାମ ମଧ୍ୟ ଉମା ଥିଲା। ତେଣୁ ଚେତନ ଇଚ୍ଛାକଲେ ତାଙ୍କ ନାମକୁ ପରିବର୍ତ୍ତନ କରି ତାଙ୍କୁ ଏକ ନୂଆ ନାମରେ ପରଦା ଉପରକୁ ଆଣିବା ପାଇଁ। ଉଭୟ ଚେତନ ଆନନ୍ଦ ଓ ଉମା ଆନନ୍ଦ ହିଁ ତାଙ୍କ ନାମ କାମିନୀ ରଖିଥିଲେ।

Share