ଅଭିନୟ ନିଶାରେ ମାମୁନି

ମଧୁସ୍ମିତା ମହାନ୍ତି। ଜଲିଉଡ୍‌ରେ ମାମୁନି ଭାବେ ପରିଚିତା। ଛ’ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିଲେ ନିଜ ଅଭିନୟ କ୍ୟାରିୟର। କେବଳ ନେଗେଟିଭ୍‌ ନୁହେଁ, ପଜିଟିଭ୍‌ ଭୂମିକାରେ ସେ ନିଜ ଦକ୍ଷତା ଦେଖାଇ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ବାଲେଶ୍ୱର ଜିଲା ବାହାନଗାରେ ତାଙ୍କର ଜନ୍ମ। ବାଣେଶ୍ୱରୀ ଗଣନାଟ୍ୟରୁ ତାଙ୍କର ଆରମ୍ଭ ହୁଏ ଜଲିଉଡ୍‌ ଯାତ୍ରା। ତା’ ପରେ ଗୌରୀ, ଇଷ୍ଟର୍ନ ବ୍ଲୁ, ପାର୍ବତୀ ଗଣନାଟ୍ୟରେ ଅଭିନୟ କରିବା ପରେ ଚଳିତ ଯାତ୍ରା ସିଜନରେ ଅପେରା ସ୍ବର୍ଣ୍ଣ ମହଲରେ ତାଙ୍କୁ ଦେଖିବାକୁ ମିଳିଛି। ଏଥର ଉକ୍ତ ପାର୍ଟି ଦ୍ୱାରା ପରିବେଷିତ ‘ସିନ୍ଦୂର ହାଟରେ ନାହିଁ ସିନ୍ଦୁର’ରେ ସାନ ଭଉଣୀ (ସିପ୍ରା) ଭୂମିକା ତାଙ୍କୁ ବେଶ୍‌ ମାଇଲେଜ ଦେଇଛି। ନିଜ କ୍ୟାରିୟର ସମ୍ପର୍କରେ ସେ କୁହନ୍ତି, ‘ଯେଉଁ ଭୂମିକା ମିଳୁ ନା କାହିଁକି ମୁଁ ସବୁବେଳେ ଅଭିନୟକୁ ହିଁ ଗୁରୁତ୍ୱ ଦିଏ। ଏବେ ମୋତେ କେତେବେଳେ ଖଳନାୟିକା ତ କେତେବେଳେ ଚରିତ୍ର ଅଭିନେତ୍ରୀ ଭାବରେ ଦର୍ଶକ ଦେଖୁଛନ୍ତି। ସେମାନେ ଆମ ପାଇଁ ସବୁକିଛି। ଏପର୍ଯ୍ୟନ୍ତ ମୁଁ ଅଭିନୟ କରିଥିବା ନାଟକଗୁଡିକ ମଧ୍ୟରେ ‘ପ୍ରେମ ସବାରିରେ ପ୍ରୀତି ନାୟିକାର ଭାଉଜ’ ଚରିତ୍ର ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଭୂମିକାଟି ନେଗେଟିଭ ଥିଲେ ମଧ୍ୟ ଏହି ରୋଲ ପାଇଁ ମୋତେ ଯେତିକି ପ୍ରଶଂସା ମିଳିଛି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ।’

Share