ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ ସେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ମଲ୍ଲିକା ୧୭ଟି ଚୁମ୍ବନ ଦୃଶ୍ୟ ଦେଇ ରାତାରାତି ଚର୍ଚ୍ଚିତ ହୋଇଥିଲେ। କେବଳ ବଲିଉଡ୍‌ରେ ନୁହେର୍ଁ, ଅନ୍ତର୍ଜାତୀୟ ଷ୍ଟାର ପାଲଟିଥିବା ମଲ୍ଲିକାଙ୍କୁ ଫିଲ୍ମ ‘ମର୍ଡର’ରୁ ପ୍ରକୃତ ପରିଚୟ ମିଳିଥିଲା। ଆଜି ଅର୍ଥାତ୍‌ ଗୁରୁବାର ହେଉଛି ତାଙ୍କର ଜନ୍ମଦିନ।
ମଲ୍ଲିକାଙ୍କ ପ୍ରକୃତ ନାମ ରୀମା ଲାମ୍ବା। ଫିଲ୍ମକୁ ଆସିବା ପାଇଁ ସେ ନିଜ ନାମ ପରିବର୍ତ୍ତନ କରି ମଲ୍ଲିକା ରଖିଥିଲେ। ହିନ୍ଦୀ ବ୍ୟତୀତ ଇଂଲିଶ ଏବଂ ଚାଇଜିଜ୍‌ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। ଏକଦା ମଲ୍ଲିକାଙ୍କୁ ବଲିଉଡ୍‌ର ସେକ୍ସ ସିମ୍ବଲ ବୋଲି କୁହାଯାଉଥିଲା। ମଲ୍ଲିକା ପ୍ରେମ କାହାଣୀ ସହ ଅନେକ କମେଡି ସିନେମାରେ କାମ କରିସାରିଛନ୍ତି। ‘ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟ’, ‘ଆପ୍‌କା ସୁରୁର୍‌’ ଏବଂ ‘ଡବଲ ଧମାଲ’ ପରି ହିଟ୍‌ କମେଡି ସିନେମାରେ ଅଭିନୟ କରିଛନ୍ତି। ହଲିଉଡ୍‌ ବିଷୟରେ କହିଲେ ‘ହିସ୍‌’ ଏବଂ ‘ପଲିଟିକ୍ସ ଅଫ୍‌ ଲଭ୍‌’ ହେଉଛି ତାଙ୍କ ଅଭିନୀତ ଫିଲ୍ମ।
ହରିୟାଣା ରାଜ୍ୟ ହିସାର ଜିଲାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ମଲ୍ଲିକା। ପାଠପଢ଼ା ଶେଷ ହେବା ପରେ ସେ ଏୟାର ହୋଷ୍ଟେସ୍‌ ରୂପେ କାମ ଆରମ୍ଭ କରିଥିଲେ। ସେଠାରେ ତାଙ୍କର ପାଇଲଟ କରଣ ସିଂହ ଗିଲଙ୍କ ସହ ସାକ୍ଷାତ୍‌ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ପରସ୍ପର ବିବାହ କରିଥିଲେ। ମାତ୍ର ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠିପାରି ନ ଥିଲା। ମାତ୍ର ଏକ ବର୍ଷର ବୈବାହିକ ଜୀବନ ପରେ ମଲ୍ଲିକା କରଣଙ୍କଠାରୁ ଛାଡପତ୍ର ନେଇଥିଲେ। ଫିଲ୍ମରେ କାମ କରିବା ପାଇଁ ମଲ୍ଲିକା ଛାଡପତ୍ର ନେଇଥିବା କୁହାଯାଏ। ତେଣୁ ସେ ହରିୟାଣା ଛାଡି ମୁମ୍ବାଇ ଚାଲି ଆସିଥିଲେ। ତାଙ୍କର ଜଣେ ପୁଅ ମଧ୍ୟ ଥିବା ଚର୍ଚ୍ଚା ହୁଏ। ଫିଲ୍ମରେ ଅଭିନୟ ପୂର୍ବରୁ ମଲ୍ଲିକା ଅମିତାଭ ବଚ୍ଚନ ଏବଂ ଶାହରୁଖ୍‌ ଖାନ୍‌ଙ୍କ ସହ ବିଜ୍ଞାପନରେ କାମ କରିଛନ୍ତି। ମଲ୍ଲିକାଙ୍କ ଅଭିନୀତ ଫିଲ୍ମ ମର୍ଡର ସୁପରହିଟ୍‌ ହୋଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଜି’ ସିନେ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ମଲ୍ଲିକା ବଲିଉଡ୍‌ଠାରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ସେ ଜଣେ ଫ୍ରେଞ୍ଚ୍‌ ବ୍ୟବସାୟୀଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି।

Share