Categories: ବାଣିଜ୍ୟ

ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍‌

ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର କାର୍ଯ୍ୟକଳାପ ଏହାଦ୍ୱାରା ଠପ୍‌ ହୋଇଯାଇଛି। କଲ୍‌ ସେଣ୍ଟର, ହୋଟେଲ ଶିଳ୍ପ, ଏୟାରଲାଇନ ସମେତ ସେବା କ୍ଷେତ୍ର ସହିତ ଜଡିତ ଶିଳ୍ପଗୁଡିକର କାର୍ଯ୍ୟକଳାପ ଏବେ ଯାଏ ଟ୍ରାକ୍‌କୁ ଫେରି ପାରି ନାହିଁ। ସେବା କ୍ଷେତ୍ରର ଅଧିକାଂଶ କ୍ଷେତ୍ରରେ କାମକାର୍ଯ୍ୟ ବନ୍ଦ ପଡି ଥିବାରୁ ଅର୍ଥ ବ୍ୟବସ୍ଥାର ଗତି ଧିମା ହୋଇଯାଇଛି। ବର୍ତ୍ତମାନ ଭାରତ ସବୁଠାରୁ ବଡ ମାନ୍ଦାବସ୍ଥା ସାମ୍ନା କରୁଥିବା ପ୍ରମୁଖ ଏଜେନ୍ସିଗୁଡିକ ସେମାନଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ୨୫ ମାର୍ଚ୍ଚରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ସବୁ ଯେମିତି ଅଟକି ଗଲା।
ସେବା କ୍ଷେତ୍ର ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ମୋଟ ଜିଡିପିକୁ ଏହା ୫୫% ଯୋଗଦାନ ରଖୁଛି। ଚାଇନା ଅର୍ଥ ବ୍ୟବସ୍ଥାରେ ମାନୁଫାକ୍‌ଚରିଂ ପ୍ରମୁଖ ଯୋଗଦାନ ରଖିଥାଏ। ହେଲେ ଭାରତ ସର୍ଭିସ କ୍ଷେତ୍ର ଲାଗି ବେଶ୍‌ ଲାଭବାନ ହୋଇଥାଏ। ସର୍ଭିସ ସେକ୍ଟରରେ ଯଦି କୌଣସି ଅସୁବିଧା ଦେଖାଯାଏ ତେବେ ଏହାର ପ୍ରଭାବ ସିଧାସଳଖ ଅର୍ଥ ବ୍ୟବସ୍ଥା ଉପରେ ପଡେ। ବର୍ତ୍ତମାନର ସ୍ଥିତି ଯୋଗୁ ବୃହତ୍‌ ସଂଖ୍ୟାରେ ନିଯୁକ୍ତି ଉପରେ ସଙ୍କଟ ସ୍ଥିତି ଛାଇ ରହିଛି। ଲୋକ ଅଧିକ ସଂଖ୍ୟାରେ ବେରୋଜଗାର ହେଲେ ଏହା ସିଧାସଳଖ ପ୍ରଭାବ ଚାହିଦା ଏବଂ ଲୋକଙ୍କ ଖର୍ଚ୍ଚ ଉପରେ ପଡ଼ିବ। ୨୦୧୯-୨୦ ଚତୁର୍ଥ ତ୍ରୈମାସରେ ଜିଡିପି ୩.୧%କୁ ଖସିଛି। ସାରା ବର୍ଷ ଲାଗି ବିକାଶ ହାର ୪.୨%କୁ ହ୍ରାସ ଘଟିଛି।

Share