Categories: ବାଣିଜ୍ୟ

ଅଭିବୃଦ୍ଧି ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ: ନିର୍ମଳା

ନୂଆଦିଲ୍ଲୀ,୬-୮: ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ଲାଗି ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ। ଏହାକୁ ଧ୍ୟାନରେ ରଖି ଦେଶର ବାଣିଜ୍ୟ ଲିଡରଙ୍କଠାରୁ ମତାମତ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ସୂଚନା ଦେଇଛନ୍ତି। ଦେଶର ଜିଡିପି ଅଭିବୃଦ୍ଧି ଧିମା ରହିଥିବା ବେଳେ ନିଯୁକ୍ତି ସୃଷ୍ଟି ହେଉ ନ ଥିବାରୁ ଏହା ସରକାରଙ୍କ ଲାଗି ଏକ ଚ୍ୟାଲେଞ୍ଜ ହୋଇଛି। ଗତ ବର୍ଷ ଜୁଲାଇ ତୁଳାନରେ ଚଳିତ ବର୍ଷ ବେକାରୀ ହାର ୨% ଉର୍ଦ୍ଧ୍ୱରେ ରହିଥିବା ଘରୋଇ ଡାଟା ଗ୍ରୁପ ସିଏମ୍‌ଆଇଇ ସୂଚନା ଦେଇଛି। ସରକାର ଚଳିତ ସପ୍ତାହରେ ଶିଳ୍ପ କ୍ଷେତ୍ର ପ୍ରତିନିଧିଙ୍କୁ ସିରିଜ୍‌ ବୈଠକରେ ଭେଟୁଥିବା ନିର୍ମଳା କହିଛନ୍ତି।
ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚନା
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପରଫରମାନ୍ସ ସମୀକ୍ଷା ଲାଗି ନିର୍ମଳା ସୋମବାର ଏହାର ମୁଖ୍ୟଙ୍କୁ ଭେଟିଥିଲେ। ଏହି ବୈଠକରେ ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ସରକାରୀ କ୍ଷେତ୍ରରେ ବର୍ତ୍ତମାନ ଅଧିକ ନିବେଶ ହେଉଥିବା ବେଳେ ଘରୋଇ କ୍ଷେତ୍ର ନିବେଶରୁ ଦୂରରେ ରହିଥିବାରୁ ଋଣ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡିଥିବା ବ୍ୟାଙ୍କ ମୁଖ୍ୟମାନେ ବୈଠକରେ ସୂଚନା ଦେଇଛନ୍ତି। ଏହାକୁ ବିଚାରକୁ ନେଇ ବ୍ୟାଙ୍କଗୁଡିକ ବର୍ତ୍ତମାନ ରିଟେଲ୍‌ ବାଟ ଦେଇ ଅଧିକ ଋଣ ପ୍ରଦାନ କରିବାକୁ ଇଛୁକ ଥିବା କହିଛନ୍ତି। ବ୍ୟାଙ୍କଗୁଡିକ ସେମାନଙ୍କ ସୁଧହାର ଉପରେ ପୁଣିଥରେ ତର୍ଜମା କରିବେ ବୋଲି କହିଛନ୍ତି। ସେହିଭଳି ଆଇବିସିର ରିଜଲ୍ୟୁଶନ ଧାରାକୁ ନେଇ ବ୍ୟାଙ୍କଗୁଡିକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Share