ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ମହିଳାଙ୍କୁ ଅସଦାଚରଣ ଘଟଣା: ଏଏସଆଇଙ୍କୁ ଗିରଫ କଲା ପୋଲିସ

କପ୍ତିପଦା,୬ା୧୧(ଡି.ଏନ୍‌.ଏ.)- ଏକ ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କପ୍ତିପଦା ଥାନାର ତତ୍‌କାଳୀନ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ବାରିପଦାସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଗତ ମେ ମାସ ୧୨ ତାରିଖ ବିଳମ୍ବିତ ରାତିରେ କପ୍ତିପଦା ଗଡସାହିର ଜଣେ ବ୍ୟକ୍ତିଙ୍କୁ ଏଏସଆଇ ବେହେରା ସଦଳବଳେ ଏକ ପୁରୁଣା ମାମଲାରେ ଗିରଫ କରିବାକୁ ଯାଇଥିଲେ ା ମାତ୍ର ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଏସଆଇ ବେହେରାଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ପାଲଟା ଏତଲା ଦେବାକୁ ତହିଁ ପରଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଓ ତାଙ୍କ ଭାଇଙ୍କ ସ୍ତ୍ରୀ ଥାନାକୁ ଯାଇଥିଲେ। ମାତ୍ର ପୋଲିସ ଏତଲା ଗ୍ରହଣ ନ କରି ସେମାନଙ୍କୁ ମଧ୍ୟ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଆଳରେ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଏଏସଆଇ ବେହେରା ଅସଦାଚରଣ କରିିଥିବା ଅଭିଯୋଗ ହୋଇଥିଲା। ଏଏସଆଇ ବେହେରାଙ୍କୁ ବାରିପଦା ବଦଳି କରାଯାଇଥିଲା। ନ୍ୟାୟ ନ ପାଇ କିଛି ଦିନ ତଳେ ସେହି ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହିତ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ। ଖବରପାଇ ମୟୂରଭଞ୍ଜ ଏସପି ଓ ଉଦଳା ଏସଡିପିଓ କପ୍ତିପଦା ଥାନା ଗ୍ରସ୍ତରେ ଯାଇ ଅଭିଯୋଗକାରିଣୀଙ୍କ ଘରକୁ ଯିବା ସହିତ ତଦନ୍ତ କରିଥିଲେ। ଘଟଣାର ତଦନ୍ତ ଦାୟିତ୍ୱ ଡିଏସପି ସବିତା ମାଝୀଙ୍କୁ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଏଏସଆଇ ବେହେରା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ା