ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଭୁବନେଶ୍ୱର (ବ୍ୟୁରୋ)/ପାତ୍ରପଡା, ୨୩ା୧୧(ଡି.ଏନ.ଏ): ଅନିଲ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଳପୁର ଅଞ୍ଚଳର ଶତାଧିକ ଲୋକେ ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଆଇଗିଣିଆ ଆଳୁଗଦିଠାରେ ରାସ୍ତାରୋକୋ କରିଥିଲେ। ଖବର ପାଇ ଜୋନ୍‌ -୩ ଏସିପି ପ୍ରାଣକୃଷ୍ଣ ରାଉତ, ଖଣ୍ଡଗିରି ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।
ପୋଲିସ ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅଞ୍ଚଳରେ ଗତ ୭ ତାରିଖରେ ଅନିଲ ଜେନା ଓ ତାଙ୍କ ବାପା ଅଭିମନ୍ୟୁଙ୍କୁ ଗୁଳିମାଡ଼ ହୋଇଥିଲା। ଏଥିରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ବାହାଦଲପୁର ଗଁ।ରେ ଲୋକେ ପୋଲିସ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଘଟଣାର ୧୫ଦିନ ବିତି ଯାଇଥିଲେ ହେଁ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ। ୪ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବନ୍ଦ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

Share