ଅଭିଯୁକ୍ତଙ୍କୁ ଧରିବାକୁ ଆସି: ମାଡ଼ଖାଇଲେ ଆଇଆଇସି

ଖୁଣ୍ଟୁଣୀ,୨୫।୭(ଡି.ଏନ୍‌.ଏ.): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ମାଡ଼ ମାରିଛନ୍ତି। ଏପରିକି ମାଡ଼ରୁ ଆଇଆଇସିଙ୍କ ସହିତ ଯାଇଥିବା ଅନ୍ୟ ପୋଲିସ କର୍ମଚାରୀମାନେ ବର୍ତ୍ତି ନାହାନ୍ତି। ଏଥିସହ ପୋଲିସ ଯାଇଥିବା କାର୍‌ର କାଚକୁ ଉତ୍ତ୍ୟକ୍ତଲୋକେ ଭାଙ୍ଗି ଦେଇଛନ୍ତି। ଖବରପାଇ ଗୁରୁଡିଝାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଇଥିବା ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଏ ସମ୍ପର୍କରେ ଆଇଆଇସି ନାୟକଙ୍କ ଅଭିଯୋଗକ୍ରମେ ଗୁରୁଡିଝାଟିଆ ପୋଲିସ ୧୧ଜଣଙ୍କ ବିରୋଧରେ ମାମଲା(ନଂ.୬୮/୧୯)ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାୟୀ, ଗତ ମେ’ ୨୫ରେ ଜଗତପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଚୌଦ୍ୱାର ଥାନା ମଇଁଷାଲଣ୍ଡା ଗ୍ରାମର ଅନ୍ତର୍ଯ୍ୟାମୀ ରାଉତ ଅପହରଣ କରିନେଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଆଇଆଇସି ନାୟକ ଏକ ଟିମ୍‌ ଗଠନ କରି ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ପରେ ଅନ୍ତର୍ଯ୍ୟାମିଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯିବା ପରେ ସେ ଅନୁଗୋଳରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ମଙ୍ଗଳବାର ପୋଲିସର ଏକ ଟିମ ଅନୁଗୋଳ ଯାଇଥିଲା। ହେଲେ ସେଠାରେ ତାଙ୍କୁ ପାଇ ନ ଥିଲେ। ଅନ୍ତର୍ଯ୍ୟାମୀ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କପୁରସିଂ ଗ୍ରାମରେ ଥିବା ତାଙ୍କ ମଉସା ଲକ୍ଷ୍ମୀଧର ରାଉତଙ୍କ ଘରେ ପହଞ୍ଚିଥିଲେ। ଜଗତପୁର ଥାନା ଆଇଆଇସି ଓ ଏକ ଟିମ୍‌ ଅନ୍ତର୍ଯ୍ୟାମୀ ତାଙ୍କ ମଉସାଙ୍କ ଘରେ ଥିବା ମୋବାଇଲ ଫୋନ ଟ୍ରାକିଂରୁ ଜାଣିବାକୁ ପାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଆଇଆଇସି ନାୟକ ଓ ତାଙ୍କ ଟିମ ସ୍ଥାନୀୟ ପୋଲିସକୁ ନ ଜଣାଇ ସାଦା ପୋଷାକରେ ଆସି ଲକ୍ଷ୍ମୀଧରଙ୍କ ଘରେ ଚଢ଼ାଉ କରିଥିଲେ। ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଆଇଆଇସିଙ୍କୁ ତୁମେ କିଏ ବୋଲି ପଚାରିଥିଲେ। ଆଇଆଇସି ନାୟକ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଆଇଆଇସିଙ୍କୁ ଉଦ୍ଧାର କରିବା ବେଳେ ପୋଲିସ ଟିମ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପାଟିତୁଣ୍ଡ ଶୁଣି ସାହିର କେତେଜଣ ଲୋକ ମିଳିତଭାବେ ପୋଲିସ ଉପରେ ଆକ୍ରମଣ କରିଥିବା ଗୁରୁଡିଝାଟିଆ ଥାନା ଏସ୍‌.ଆଇ. ଗୟାଧର ବେହେରା କହିଛନ୍ତି। ଏହି ସମୟରେ ଅଭିଯୁକ୍ତ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ନାବାଳିକାଙ୍କ ସନ୍ଧାନ ମିଳି ନ ଥିବାବେଳେ ପୋଲିସକୁ ମାଡ଼ ମାରିଥିବା ଯୁବକମାନେ ଫେରାର ଥିବା ପୋଲିସ କହିଛି। ଏହା ସହିତ ଲକ୍ଷ୍ମୀଧରଙ୍କ ପୁଅକୁ ଗୁରୁଡିଝାଟିଆ ପୋଲିସ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡିଛି।

Share