ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ନାକେଦମ୍‌ : ୫ ଘଣ୍ଟା କସରତ ପରେ ଧରାପଡିଲେ

ରେମୁଣା, ୧୪।୬(ଡି.ଏନ.ଏ.)-ଏକ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ରବିବାର ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଓ ରେମୁଣା ପୋଲିସକୁ ନାକେଦମ୍‌ ହେବାକୁ ପଡିଛି। ଅଭିଯୁକ୍ତଜଣକ ହେଲେ ଶ୍ୟାମରାଇପୁର ଗ୍ରାମର ଈଶ୍ୱର ମହାଳିକ। ସେ ଘରେ ଥିବା ଖବରପାଇ କ୍ରାଇମ୍‌ ଡିଏସ୍‌ପି ମନୋଜ କୁମାର ରାଉତ ଓ ଅନ୍ୟ ପୋଲିସ କର୍ମଚାରୀ ସକାଳୁ ସକାଳୁ ତାଙ୍କ ଘରକୁ ଘେରିଯାଇ ଆତ୍ମସମର୍ପଣ କରିବାକୁ କହିଥିଲେ। ଘରେ ଭିତରେ ଥାଇ ଈଶ୍ୱର ବାହାରକୁ ବାହାରି ନ ଥିଲେ। ପୋଲିସ ବାରମ୍ବାର କବାଟ ବାଡେଇବା ପରେ ଈଶ୍ୱର ପୋଲିସ ଉପରକୁ ବୋମା ଓ କାଚ ବୋତଲ ପକାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଏପରିକି ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ଛାତ ଉପରକୁ ନେଇ ତଳକୁ ଫୋପାଡିବାକୁ ଧମକ ଦେଇ ଖସି ଚାଲିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ଚାରିପଟେ ଘେରି ରହିଥିବାରୁ ଏହା ସମ୍ଭବ ହୋଇ ନ ଥିଲା। ଦୀର୍ଘ ୫ଘଣ୍ଟା କସରତ ପରେ ଅଭିଯୁକ୍ତ ଈଶ୍ୱରଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି। ସହଦେବଖୁଣ୍ଟା ପୋଲିସ ତାଙ୍କୁ ଗିରଫ କରି ଥାନାକୁ ଆଣିଛି। ଈଶ୍ୱରଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ୧୨୨ ମାମଲା ରହିଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ବୁଲେଟରେ ଫେରୁଥିବା ଜଣେ ବ୍ୟକ୍ତିଙ୍କୁ ସହଦେବଖୁଣ୍ଟା ଥାନା ବାରୁଣୀ ପୋଲ ନିକଟରେ ଈଶ୍ୱର ଅଟକାଇ ଆକ୍ରମଣ କରି ଗାଡି ଛଡାଇ ନେଇଯାଇଥିଲେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

Share