Categories: ଜାତୀୟ

ଅଭିଯୁକ୍ତଙ୍କୁ ସମୟ ମିଳିବାରୁ କୋର୍ଟରେ କାନ୍ଦିପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୧୮।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅକ୍ଷୟ ସିଂଙ୍କ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ସମସ୍ତଙ୍କ ନଜର ପଟିଆଲା ହାଉସ କୋର୍ଟ ଉପରେ ରହିଥିଲା। କିନ୍ତୁ ବୁଧବାର କୋର୍ଟ ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଉପରେ ନିଷ୍ପତ୍ତିକୁ ଆସନ୍ତା ଜାନୁୟାରୀ ୭କୁ ସ୍ଥଗିତ ରଖିଛନ୍ତି। ୪ ଦୋଷୀ ସାବ୍ୟସ୍ତଙ୍କୁ ପରବର୍ତ୍ତୀ ଆଇନଗତ ବିକଳ୍ପ ଲାଗି ୭ଦିନର ସମୟ ଦିଆଯାଇଥିବା ଜଣାପଡ଼ିଛି। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭାବୁକ ହୋଇପଡ଼ିଛନ୍ତି ନିର୍ଭୟାଙ୍କ ମା’। ସୂଚନାଯୋଗ୍ୟ, ଅଭିଯୁକ୍ତ ମୁକେଶ ସିଂ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ସିଂ ଠାକୁରଙ୍କୁ ଖୁବ୍‌ଶୀଘ୍ର ଫାଶୀ ଦେବା ପାଇଁ ନିର୍ଭୟାଙ୍କ ମାଆ-ବାପା ଦାବି କରିବା ସହ କୋର୍ଟକୁ ଡେଥ୍‌ ୱାରେଣ୍ଟ ଜାରି କରିବା ଲାଗି ଅନୁରୋଧ କରିଥିଲେ। ଦୋଷୀ ନିଜର ସମସ୍ତ ଆଇନଗତ ଅଧିକାରର ବ୍ୟବହାର କରିବା ପରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଥିଲେ। କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ନିର୍ଭୟାଙ୍କ ମାଆ କାନ୍ଦି ପକାଇଥିଲେ। ଏଥିସହ କହିଥିଲେ, ତାଙ୍କର ସମସ୍ତ ଅଧିକାର ରହିଛି, ହେଲେ ଆମର କ’ଣ କୌଣସି ଅଧିକାର ନାହିଁ। ଆମକୁ କେବେ ନ୍ୟାୟ ମିଳିବ ବୋଲି ନିର୍ଭୟାଙ୍କ ମା’ କହିଛନ୍ତି।

Share