ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ରାଧାମୋହନ କଲୋନୀର ଅଭିମନ୍ୟୁ ନାୟକଙ୍କୁ ପଥରରେ ଛେଚି ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ଧନେଶ୍ୱର ମଲିକ ମାମଲାର ବିଚାର କରି ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ସଜା ଭୋଗିବାକୁ ପଡ଼ିବ। ୧୨ଜଣ ସାକ୍ଷୀ ଓ ୨୧ ଡକ୍ୟୁମେଣ୍ଟକୁ ପରଖିବା ପରେ ବିଚାରପତି ମଲିକ ଏହି ରାୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିମନ୍ୟୁ ପରିବାର ସହ ରାଧାମୋହନ କଲୋନୀରେ ରହୁଥିଲେ। ୨୦୧୮ ଅକ୍ଟୋବର ୨୮ରେ ସେ ତାଙ୍କ ପୁଅ ଲିଙ୍ଗା ନାୟକଙ୍କ ସହ ଘରକୁ ଫେରୁଥିଲେ। ଘର ନିକଟରେ ଅଭିଯୁକ୍ତ ଚନ୍ଦନ ହଠାତ୍‌ ଅଭିମନ୍ୟୁଙ୍କୁ ଆକ୍ରମଣ କରିଥିଲେ। ଏକ ପଥରରେ ତାଙ୍କ ମୁଣ୍ଡ ଓ ମୁହଁଙ୍କୁ ବାରମ୍ବାର ଛେଚି ଚାଲିଥିଲେ। ପାଟିଶୁଣି ଘର ଭିତରେ ଥିବା ବୋହୂ ପଙ୍କଜ ନାୟକ ଦୌଡି ଆସିଥିଲେ। ଏହାପରେ ଅଭିଯୁକ୍ତ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ଅର୍ଥାତ୍‌ ଅକ୍ଟୋବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଏୟାରଫିଲ୍ଡ ଥାନା ପୋଲିସ କେସ୍‌ ନଂ.୩୫୩/୧୮, ଦଫା ୩୦୨ ଲଗାଇ ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଥିଲା। ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଥିଲା। ତେବେ ତଦନ୍ତରୁ ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଲୁଟ୍‌ ପାଇଁ ଅଭିଯୁକ୍ତ ଚନ୍ଦନ ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଅତିରିକ୍ତ ପିପି ସଲିଳ କୁମାର ପ୍ରଧାନ ପରିଚାଳନା କରୁଥିଲେ।

Share