Categories: ଅନୁଗୋଳ

ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍‌: ଭୟରେ ଦିନ କାଟୁଛନ୍ତି ବୃଦ୍ଧା

ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍‌ଟିପିସି ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାର ୩ ମାସ ପରେ ବି ପୋଲିସ କୌଣସି ପଦକ୍ଷେପ ନ ନେବା ଓ ମାମଲା ପ୍ରତ୍ୟାହାର ପାଇଁ ବାରମ୍ବାର ଅଭିଯୁକ୍ତଙ୍କ ପକ୍ଷରୁ ଧମକଚମକ ଦିଆଯାଉଥିବା ଅଭିଯୋଗ କରି ଜିଲା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୋଲୋକବେଡ଼ା ଗ୍ରାମର ସୁଲୋଚନା ସାହୁ(୬୦)। ଏପରିକି ଥାନାକୁ ଗଲେ ପୋଲିସ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ସେ ଉପାୟଶୂନ୍ୟ ଥିବା ଏବଂ ସର୍ବଦା ଭୟଭୀତ ଅବସ୍ଥାରେ ରହୁଥିବା ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉ କି, ଏନ୍‌ଟିପିସି ଥାନା ଟୋଲୋକବେଡ଼ା ଗ୍ରାମର ସୁଲୋଚନାଙ୍କ ଘରେ ଗତ ଫେବୃୟାରୀ ୨୩ ତାରିଖରେ କେହି ଦୁର୍ବୃତ୍ତ ପଶି ତାଙ୍କ କାନଫୁଲ ଛିଣ୍ଡାଇ ନେଇଥିଲେ। ପଡୋଶୀ ଘରର ପିଲା ଏହା କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ. ୧୪/୧୯ରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କ ମା’ ବାପା ତାଙ୍କ ପରେ ପଶି ମାଡ଼ ମାରିବା ସହ ମାମଲା ଉଠାଇନେବାକୁ ଧମକ ଦେଉଥିବା ସୁଲୋଚନା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିବା ସେ ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏ ସଂକ୍ରାନ୍ତରେ ଏନ୍‌ଟିପିସି ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ଅଭିଯୋଗ ପରେ ଅଭିଯୁକ୍ତ ଫେରାର ଥିଲେ। ପରେ ସେ କୋର୍ଟକୁ ଯାଇ ବେଲ୍‌ରେ ଆସିଥିଲେ। ଏବେ କ’ଣ ହୋଇଛି ସେ ବିଷୟରେ ଜଣାନାହିଁ। ଏହାର ତଦନ୍ତ କରାଯିବ।