ଅଭିଯୋଗ ପରେ ବି ଉଠୁନି ସବୁଜ ଆବର୍ଜନା

ଭୁବନେଶ୍ୱର, ୧୨।୯ (ବନ୍ଦନା ସେଠୀ):ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ସ୍ବଚ୍ଛ ରଖିବା ପାଇଁ ବିଏମ୍‌ସି ଦିନରାତି କାମ କରୁଛି। ନାଗରିକଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ମାଗଣାରେ ଆବର୍ଜନା ଉଠାଇବା ଭଳି ସ୍ବାଗତଯୋଗ୍ୟ ପଦକ୍ଷେପ ମଧ୍ୟ ନେଉଥିବା ଡେଙ୍ଗୁରା ପିଟୁଥିବାବେଳେ ଏସବୁ କେବଳ କଥା ଓ କାଗଜ କଲମରେ ଅଟକିଛି। ବାସ୍ତବରେ ସହରର ସ୍ବଚ୍ଛତା ପାଇଁ ଯେଉଁଭଳି ପଦକ୍ଷେପ ନେବା ଆବଶ୍ୟକ ତାହା ହେଉନାହିଁ। ବିଏମ୍‌ସି ନିଜେ ସହରକୁ ସଫା କରିବା ଦୂରର କଥା ଲୋକମାନେ ଅଭିଯୋଗ କଲେ ବି ତାହାର ସମାଧାନ କରାଯାଉ ନାହିଁ।
ରାସ୍ତା କଡ଼ରେ ସବୁଜ ଆବର୍ଜନା ଗଦା ହୋଇଥିବା ନେଇ ଆଶିଷ କୁମାର ପାତ୍ର ନାମକ ଜଣେ ଯୁବକ ଅଗଷ୍ଟ ୨୭ରୁ ‘ସଫା ଭୁବନେଶ୍ୱର’ ଆପ୍‌ ମାଧ୍ୟମରେ ବିଏମ୍‌ସିକୁ ଅଭିଯୋଗ କରିଥିଲେ ବି ଏ ଯାଏ ତାହା ଉଠିପାରି ନାହିଁ। ବର୍ଷାଦିନ ଥିବାରୁ ଏବେ ସହରରେ ସବୁଜ ଆବର୍ଜନା ଗଦା ହୋଇ ରହୁଛି। ତେଣୁ ଏହାକୁ ମାଗଣାରେ ଉଠାଇବା ପାଇଁ ବିଏମ୍‌ସି ଅଣ୍ଟା ଭିଡିଥିଲା। ଏନେଇ ଅଗଷ୍ଟ ୨୧ରେ ହୋଇଥିବା ବିଏମ୍‌ସି କଣ୍ଟ୍ରାକ୍ଟସ୍‌ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସବୁଜ ଆବର୍ଜନା, ନିର୍ମାଣ ଓ ଭଗ୍ନାବଶେଷ ସବୁ ବିନା ଶୁଳ୍କରେ ସଂଗ୍ରହ ତଥା ସ୍ଥାନାନ୍ତର କରାଯିବ। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସହରବାସୀ ଏହି ମାଗଣା ସୁବିଧା ଉପଭୋଗ କରି ପାରିବେ ବୋଲି ବିଏମ୍‌ସି ବାହାଦୁରି ମାରିଥିଲା। ସେହିପରି ପ୍ରତି ଜୋନରେ ୧୨ରୁ ୧୫ଟି ଲେଖାଏ ଗାଡି ବର୍ଜ୍ୟ, ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ଦିଆଯାଇଥିଲା। ମାତ୍ର ଘୋଷଣା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଭୁଲି ଯାଇଛି ବିଏମ୍‌ସି। ଫଳରେ ମାଗଣାରେ ଆବର୍ଜନା ଉଠାଇବା ଘୋଷଣା କେବଳ ଧୂଆଁବାଣରେ ପରିଣତ ହୋଇଛି। ଦିନେ କି ଦୁଇଦିନ ନୁହେଁ, ୧୫ଦିନରୁ ଊର୍ଦ୍ଧ୍ୱ ସମୟ ଧରି ବିଏମ୍‌ସି ଗୋଟିଏ ଅଭିଯୋଗର ସମାଧାନ କରିପାରୁ ନାହିଁ।

Share