Categories: ଜାତୀୟ

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅଭିଶାପରୁ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଆଇପିଏସ୍‌ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମାମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ଏହା ପ୍ରଜ୍ଞାଙ୍କ ବ୍ୟକ୍ତିଗତ ମତ ବୋଲି ଭାଜପା କହିଛି।
ଭୋପାଳରେ ପ୍ରଜ୍ଞା କହିଥିଲେ, ମାଲେଗାଓଁ ବିସ୍ଫୋରଣ ମାମଲାରେ ସେ ଜେଲ୍‌ରେ ଥିବାବେଳେ ତାଙ୍କୁ କର୍‌କରେ ନିର୍ଯାତନା ଦେଇଥିଲେ। ତାଙ୍କ ବିରୋଧରେ ଯଦି ପ୍ରମାଣ ନ ମିଳେ ତେବେ ବେଆଇନ ଭାବେ ଜେଲରେ ରଖାଯାଇପାରିବ ନାହିଁ ବୋଲି ତଦନ୍ତ କମିଶନ କର୍‌କରେଙ୍କୁ କହିଥିଲେ। କିନ୍ତୁ ତାଙ୍କୁ ଜେଲ୍‌ରୁ ଛଡାଯାଉ ବୋଲି କର୍‌କରେ ଚାହୁଁ ନ ଥିଲେ। ପ୍ରମାଣ ଯୋଗାଡ଼ ଲାଗି ସେ ଯାହା କିଛି ବି କରିପାରିବେ, ଏପରିକି ପ୍ରମାଣ ପ୍ରସ୍ତୁତ କରିପାରିବେ ବୋଲି କର୍‌କରେ କହିଥିଲେ। ବାରମ୍ବାର ଜେରା ଓ ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଜ୍ଞା ତାଙ୍କୁ ଅଭିଶାପ ଦେଇଥିଲେ। ଏହାର ଦେଢ଼ମାସ ପରେ ମୁମ୍ବାଇ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ଗୁଳିରେ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ପ୍ରଜ୍ଞା କହିଛନ୍ତି। ଆତଙ୍କବାଦ ନିରୋଧୀ ଲଢ଼େଇରେ ଦେଶ ପାଇଁ ଜୀବନ ଦେଉଥିବା ସମସ୍ତ ଯବାନଙ୍କ ପ୍ରତି ଏହା ଅପମାନ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି। ସେପଟେ ନିର୍ବାଚନ କମିଶନ(ଇସି) ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନେଇ ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରଜ୍ଞା ନିଜ ମନ୍ତବ୍ୟରୁ ଓହରି ଯିବା ସହ କ୍ଷମା ମାଗିଛନ୍ତି।

Share