Categories: ଖେଳ

ଅଭିଷେକ ସିଏବିର ସର୍ବକନିଷ୍ଠ ସଭାପତି

କୋଲକାତା, ୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ସ୍ବର୍ଗତ ଜଗମୋହନ ଡାଲମିୟାଙ୍କ ପୁଅ ଅଭିଷେକ ସିଏବିର ନୂଆ ସଭାପତି ହୋଇଛନ୍ତି। କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଅଷ୍ଟାଦଶ ସଭାପତି ଭାବେ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିସହ ୩୮ ବର୍ଷୀୟ ଅଭିଷେକ ସର୍ବକନିଷ୍ଠ ସଭାପତି ଭାବେ ସିଏବିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଭିଷେକ ଏଥିପୂର୍ବରୁ ସିଏବିର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ସେହିଭଳି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଭାଇ ତଥା ପୂର୍ବତନ ବେଙ୍ଗଲ କ୍ରିକେଟର୍‌ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ ନିଦ୍ୱର୍ନ୍ଦ୍ୱରେ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ବିସିସିଆଇର ସଭାପତି ଭାବେ ସୌରଭ ଦାୟିତ୍ୱ ଗ୍ରହଣ କରିବା ପରେ ସିଏବି ସଭାପତି ପଦ ଖାଲି ପଡ଼ିଥିଲା। ତେବେ ଲୋଧା କମିଟି ଦ୍ୱାରା ଆଗତ ‘କୁଲିଂ ଅଫ୍‌ ପିରିୟଡ’ ଆଧାରରେ ଅଭିଷେକଙ୍କ କାର୍ଯ୍ୟକାଳ ଅବଧି ମାତ୍ର ୨୨ ମାସ ରହିବ। ଅର୍ଥାତ ୬ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସେ ଏହି ପଦରେ ରହିପାରିବେ।

Share