Categories: ଖେଳ

ଅଭ୍ୟାସ ମ୍ୟାଚ୍‌: ପୂଜାରାଙ୍କ ଶତକ

ଆଣ୍ଟିଗୁଆ,୧୮।୮(ପି.ଟି.)- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଏ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଏକ ୩ ଦିନିକିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିବସ ଚା’ପାନ ବିରତି ପରେ ପରେ ଭାରତ ପ୍ରଥମ ଇନିଂସରେ ୭୧.୩ ଓଭରରେ ୪ ଉଇକେଟ ହରାଇ ୨୪୫ ରନ ସଂଗ୍ରହ କରିଛି। ହନୁମା ବିହାରୀ ୧୯ ଓ ରିଷଭ ପନ୍ତ ୨ ରନ କରି ବ୍ୟାଟିଂ ଜାରି ରଖିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୧୦୦ ରନର ଶତକୀୟ ପାଳି ଖେଳି ରିଟାୟାର୍ଡ ହର୍ଟ ହୋଇଛନ୍ତି। ପୂଜାରା ୧୮୭ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓପନିଂ କରିବାକୁ ଆସିଥିବା ଲେକେଶ ରାହୁଲ ୩୬ ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାନେ ମାତ୍ର ୧ ରନ କରି ଆଉଟ ହେବା ସହ ନିରାଶ କରିଥିଲେ। ରୋହିତ ଶର୍ମା ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୧୧୫ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୧ ଛକା ମାରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଜୋନାଥନ କାର୍ଟର ୨, କିଅନ ହାର୍ଡିଙ୍ଗ୍‌ ଓ ଅକିମ୍‌ ଫ୍ରାଜର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ଖେଳାଯାଇଥିବା ଟି୨୦ ସିରିଜ୍‌ରେ ଭାରତ ୩-୦ ବ୍ୟବଧାନରେ କ୍ଲିନ୍‌ ସୁଇପ୍‌ କରିଥିଲା। ସେହିପରି ଦିନିକିଆ ସିରିଜକୁ ମଧ୍ୟ ଭାରତ ୨-୦ରେ ହାତେଇଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୭୧.୩ ଓଭରରେ ୨୪୫/୪
(ପୂଜରା- ୧୦୦, ରୋହିତ- ୬୮, ରାହୁଲ- ୩୬, କାର୍ଟର- ୨/୨୪, )

Share