Categories: ଖେଳ

ଅଭ୍ୟାସ ମ୍ୟାଚ୍‌: ମାରକ୍ରାମଙ୍କ ଶତକ, ବଭୁମାଙ୍କ ଅର୍ଦ୍ଧଶତକ

ବିଜୟନଗରମ,୨୮।୯(ପି.ଟି.)- ସ୍ଥାନୀୟ ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଦ୍ୱିତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନର ଖେଳ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ରୂପେ ବାତିଲ ହେବା ପରେ ଶୁକ୍ରବାର ଦ୍ୱିତୀୟ ଦିନରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଟସ୍‌ ଜିତି ଦକ୍ଷିଣ ଆଫିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଏଡେନ ମାରକ୍ରାମଙ୍କ ଶତକ ଓ ଟେମ୍ବା ବଭୁମାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୫୦ ଓଭରରେ ୪ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବଭୁମା ୯୨ ବଲରୁ ୯ ଚୌକା ସହ ୫୫ ରନ କରି ଅପରାଜିତ ରହିଛନ୍ତି।
ଓପନର ମାରକ୍ରାମ ଦ୍ରୁତ ଗତିରେ ବ୍ୟାଟିଂ କରି ୧୧୮ଟି ବଲର ସମ୍ମୁଖୀନ ହୋଇ ୧୮ ଚୌକା ଓ ୨ ଛକା ସହ ୧୦୦ରନର ଶତକୀୟ ପାଳି ଖେଳି ରିଟାୟାର୍ଡ ହର୍ଟ ହୋଇଥିଲେ। ଶତକ ହାସଲ କରିବା ଠିକ୍‌ ପରେ ସେ ପ୍ୟାଭିଲିୟନ ଫେରିଯାଇଥିଲେ। ଏହି ଗସ୍ତରେ ମାରକ୍ରାମ କ୍ରମାଗତ ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ପୂର୍ବରୁ ମାରକ୍ରାମ ଗତ ସପ୍ତାହରେ ଅନୁଷ୍ଠିତ ଭାରତ ଏ’ ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଏ’ ତରଫରୁ ପ୍ରତିନିଧିତ୍ୱ କରି ୧୬୧ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ଝଟ୍‌କା ଖାଇଥିଲା। ଓପନର ଡିନ୍‌ ଏଲଗାର ମାତ୍ର ୬ ରନ କରିଥିବା ବେଳେ ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବଙ୍କ ବଲ୍‌ରେ ସ୍ଲିପ୍‌ରେ ପ୍ରିୟଙ୍କ ପଞ୍ଚାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଥେଉନିସ୍‌ ଡି ବ୍ରୁଏନ୍‌ ୬ ରନ କରିଥିବା ବେଳେ ଇଶାନ ପୋରେଲଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ସେହିପର ୨୨ ରନ କରିଥିବା ବେଳେ ଜୁବେର ହମ୍‌ଜା ସ୍ପିନର ଧର୍ମନ୍ଦ୍ରସିନ୍‌ ଜାଡେଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶେଷରେ ଅଧିନାୟକ ଫାଫ୍‌ ଡୁପ୍ଲେସି ୯ କରି ଏଲ୍‌ବିଡବ୍ଲ୍ୟୁ ହେବା ସହ ଜାଜେଜାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବୋଲିଂରେ ସଭାପତି ଏକାଦଶ ତରଫରୁ ଜାଜେଜା ଦୁଇଟି, ଉମେଶ ଓ ପୋରେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୫୦ ଓଭରରେ ୧୯୯/୪
(ମାରାକ୍ରାମ- ୧୦୦, ବଭୁମା- ୫୦*, ଜାଡେଜା- ୨/୫୨, ପୋରେଲ- ୧/୧୧, ଉମେଶ- ୧/୩୧)।

Share