ଅଭୟ ନୂଆ ଡିଜିପିି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ବୁଧବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପଦରୁ ହଟାଇ ଦେଇଛନ୍ତି। ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସେ ବିଧିବଦ୍ଧ ଭାବେ ଡିଜିପି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତିଙ୍କୁ ଅତିରିକ୍ତଭାବେ ଅନ୍ତରୀଣ ଡିଜି ଦାୟିତ୍ୱ ନେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶ ଆଧାରରେ ବୁଧବାର ବିଳମ୍ବିତ ରାତିରେ ସତ୍ୟଜିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ସତ୍ୟଜିତଙ୍କୁ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଗୋଇନ୍ଦା ବିଭାଗ ଡିଜି ଥିବା ସୁନୀଲ ରୟଙ୍କୁ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ବିଦାୟୀ ଡିଜିପି ବିଜୟଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଥାଉ କି, ଗତ ଅଗଷ୍ଟରେ ଡିଜିପି ଆର୍‌.ପି.ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବାପରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତତ୍କାଳୀନ ଅଗ୍ନିଶମ ବିଭାଗର ଡିଜି ବିଜୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

Share