Categories: ଜାତୀୟ

ଅମରନାଥ ଯାତ୍ରା: ୨୬ ବର୍ଷରେ ୧୪ ଆତଙ୍କବାଦୀ ଆକ୍ରମଣରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଗତ ୨୬ ବର୍ଷ ମଧ୍ୟରେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଉପରେ ୧୪ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ଗୋଇନ୍ଦା ବିଭାଗର ସତର୍କ ସୂଚନା ଆଧାରରେ ୪୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ୧୯୮୦ରେ ଶେଷ ଭାଗରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ଆରମ୍ଭ କରିଥିଲେ। ଏହାପରେ ୧୯୯୩ରେ ଆତଙ୍କବାଦୀ ସଂଗଠନ ହରକତ୍‌ ଉଲ୍‌ ଅଂସାର ଏବଂ ଲଶ୍କର-ଇ-ତୋଏବା ଦ୍ୱାରା ୨ଥର ଆକ୍ରମଣ ହୋଇଥିଲା। ଏଥିରେ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୯୯୪ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୧୯୯୫ରେ ୩ ଥର ଆତଙ୍କାବାଦୀ ଆକ୍ରମଣ ହୋଇଥିଲେ ମଧ୍ୟ କେହି ହତାହତ ହୋଇ ନ ଥିଲେ। ସେହିପରି ୧୯୯୬ରେ ହୋଇଥିବା ଆକ୍ରମଣରେ କୌଣସି କ୍ଷତି ଘଟି ନ ଥିଲା। ୨୦୦୦ ଅଗଷ୍ଟ ୨ରେ ହୋଇଥିବା ଆକ୍ରମଣରେ ୩୨ ଶ୍ରଦ୍ଧାଳୁ, ଦୋକାନୀ ତଥା ବାହକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ୨୦୦୧ ଜୁଲାଇ ୨୦ରେ ପହଲଗାମ ବେସ୍‌ କ୍ୟାମ୍ପ୍‌ ନିକଟରେ ଥିବା ଶେଷନାଗ ଲେକ୍‌ଠାରେ ତୀର୍ଥଯାତ୍ରୀ ଶିବିର ଉପରକୁ ହାତବୋମା ଫିଙ୍ଗାଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଥିଲେ। ୨୦୦୨ଅଗଷ୍ଟ ୬ରେ ଶ୍ରଦ୍ଧାଳୁଙ୍କ ଟ୍ୟାକ୍ସିକୁ ଟାର୍ଗେଟ୍‌ କରାଯାଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ଆହତ ହୋଇଥିଲେ। ୨୦୦୬ରେ ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ୧୧ ବର୍ଷ ପରେ ୨୦୧୭ ଜୁଲାଇ ୧୦ରେ ଅନନ୍ତନାଗଠାରେ ଆତଙ୍କବାଦୀ ତୀର୍ଥଯାତ୍ରୀ ବସ୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ ଜଣ ଆହତ ହୋଇଥିଲେ। ୨୦୧୮ରେ ୨ ଲକ୍ଷ ୮୫ ହଜାର ୬ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ସାମିଲ୍‌ ହୋଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହା ସମ୍ପନ୍ନ ହୋଇଥିଲା। ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share