ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନେକ ସ୍ଥାନରେ ଏଥିନେଇ ଜରିମାନା ଆଦାୟ ମଧ୍ୟ କରାଯାଉଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଳକ ଅଞ୍ଚଳରେ କିଛି ଅମାନିଆଙ୍କ ପାଇଁ ଏସବୁ ନିୟମ ପାଣିର ଗାର ସଦୃଶ। ପ୍ରଶାସନର ବାରଣ ସତ୍ତ୍ୱେ ଅଞ୍ଚଳର ବିଭିନ୍ନ ବଜାରରେ କେତେକ ବ୍ୟକ୍ତି ଓ ଯୁବକମାନେ ପ୍ରତ୍ୟେହ ମୋଟର ସାଇକେଲ ଧରି ବଜାରକୁ ଆସଛନ୍ତି। ଏପରିକି ଅନେକେ ମୁହଁରେ ମାସ୍କ ନ ଲଗାଇ ବୁଲୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅମାନିଆଙ୍କୁ ସାବାଡ କରିବା ଲାଗି ରବିବାର ବାହାନଗା ତହସିଲିଦାରଙ୍କ ଛାଟ ଲାଗିଛି। ବଜାରରେ ମାସ୍କ ମୁହଁରେ ଲଗାଇ ନ ଥିବା ଯୁବକ ମାନଙ୍କୁ ସେ ଆଣ୍ଠାଇ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ବାହାନଗା ତହସିଲିଦାର ଜିତେନ୍ଦ୍ର କର ସଦଳବଳେ ସକାଳ ୮ଟା ସମୟରେ ଗୋପାଳପୁର ବଜରରେ ପହଞ୍ଚି ଲୋକମାନଙ୍କୁ ଦୋକାନ ଆଗରେ ସାମାଜିକ ଦୂରତ୍ୱ ରଖି ସାମଗ୍ରୀ କିଣିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବା ସତ୍ତ୍ୱେ ଲୋକମାନେ ମୋଟରସାଇକେଲ ଯୋଗେ ସକାଳେ ବଜାରକୁ ଆସି ଗହଳି କରୁଥିବାରୁ ସେମାନଙ୍କୁ ଗାଡି ଧରି ଆସିବାକୁ ବାରଣ କରିବା ସହିତ ଖରାରେ ମଟର ସାଇକେଲ ଧରି କିଛି ସମୟ ଛିଡା କରାଇ ଦଣ୍ଡ ଦେଇଥିଲେ। ଆଉକିଛି ଗାଡି ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରିଥିଲେ। ସେହିପରି ବଜାରକୁ ମୁହଁରେ ମାସ୍କ ନ ଲଗାଇ ଆସୁଥିବା କେତେକ ଯୁବକଙ୍କୁ ତାଗିଦ କରିବା ସହିତ ବଜାରରେ ଦଣ୍ଡ ସ୍ବରୂପ ଖରାରେ ଆଣ୍ଠାଇ ଦେଇଥିଲେ। ଅମାନିଆଙ୍କ ପ୍ରତି ତହସିଲଦାର କରଙ୍କ ଏଭଳି ଶାସ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Share