ଅମାନିଆ ଗାଡ଼ିଚାଳକଙ୍କୁ ପୋଲିସ ଛାଟ

କେନ୍ଦୁଝର,୮ା୪ (ସ୍ବ.ପ୍ର.)- କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସରକାର ଜନସାଧାରଣଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ଏହା ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ବଜାର ଓ ଛକମାନଙ୍କରେ ବାଇକ୍‌ ଧରି ଲୋକେ ଭିଡ଼ ଜମାଉଥିଲେ। ତେବେ ଅମାନିଆ ଗାଡ଼ି ଚାଳକମାନଙ୍କୁ ସାବାଡ଼ କରିବା ପାଇଁ କେନ୍ଦୁଝର ସଦର ପୋଲିସ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି। ସଦର ଥାନା ଅଞ୍ଚଳର ସମସ୍ତ ମୁଖ୍ୟ ଛକ, ରାସ୍ତା ଏବଂ ଗାଁ ଗହଳିର ଗଳି କନ୍ଦିରେ ପୋଲିସ ପଇଁନ୍ତରା ମାରି କଟକଣା ଉଲ୍ଲଂଘନକାରୀଙ୍କୁ ସାବାଡ କରୁଛି। ଛକ ବଜାରକୁ ବିଭିନ୍ନ ଆଳ ଦେଖାଇ ଯାଉଥିବା ବ୍ୟକ୍ତିଙ୍କୁ ପୋଲିସ ଘଉଡାଇବା ସହ ରାଇସୁଆଁ, ପଦ୍ମପୁର, ପଳାଶପଙ୍ଗା ଆଦି ଅଞ୍ଚଳରୁ ୨୫ରୁ ଊର୍ଦ୍ଧ୍ୱ ବାଇକ ଓ ଚାରିଚକିଆ ଯାନ ଜବତ କରିଛି। ସୋମବାର ମଧ୍ୟ ପ୍ରାୟ ୨୩ଟି ବାଇକ ଜବତ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଧରପଗଡ଼କୁ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି।

Share