ଅମିତାଭଙ୍କ ସହ ଫଟୋ ଶେୟାର କଲେ ଶତ୍ରୁଘ୍ନ: କହିଲେ, ‘ବନ୍ଧୁତା ଅତୁଟ ରହୁ’

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବଲିଉଡ୍‌ର ଦୁଇ ଖ୍ୟାତନାମା କଳାକାର। ୭୦ ଦଶକର ଏହି ଦୁଇଜଣଙ୍କ ବନ୍ଧୁତା ଉପରେ ଆଜିପର୍ଯ୍ୟନ୍ତ କାହାର ନଜର ଲାଗିନାହିଁ। ଯଦିଓ ଦୁଇଜଣଙ୍କ ମଧ୍ୟରେ ତୁ ତୁ ମେ ମେ କିଛିଦିନ ଧରି ଚାଲିଥିଲା। ତଥାପି ବନ୍ଧୁତା ବଜାୟ ରଖିଛନ୍ତି ଏହି ଦୁଇ କଳାକାର। ‘କଳାପଥର’, ‘ଦୋସ୍ତାନା’ ଏବଂ ‘ଶାନ୍‌’ ପରି ସୁପରହିଟ୍‌ ଫିଲ୍ମରେ ଏକାସାଙ୍ଗରେ ଦୁଇଜଣ କାମ କରିଛନ୍ତି। ଅନ୍‌ସ୍କ୍ରିନ୍‌ରେ ଦୁଇଜଣଙ୍କ କେମେଷ୍ଟ୍ରି ବହୁତ ଭଲ। ଶତ୍ରୁଘ୍ନ ସୋସିଆଲ ମିଡିଆରେ ଅମିତାଭଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ସେ କ୍ୟାପଶନ୍‌ ଲେଖିଛନ୍ତି, ‘ ଏ ବନ୍ଧୁତା ଆମର ସବୁଦିନ ପାଇଁ ଅତୁଟ ରହୁ।’ ଏହି ଫଟୋରେ କିଛି ଫ୍ୟାନ୍‌ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ପୁଣି ଲଢ଼େଇ ଆରମ୍ଭ ହୋଇଗଲା କି ବୋଲି କିଛି ଫ୍ୟାନ୍‌ ଲେଖିଥିବା ବେଳେ ଆଉ କିଛି ଲେଖିଛନ୍ତି ଟୁଇଟର୍‌ରେ କେହି କାହାକୁ ଫଲୋ କରୁ ନ ଥିବାରୁ ରାଗରୋଷ ହୋଇଛି।

Share