Categories: ଖେଳ

ଅମିତ୍‌, ବ୍ରଜ ଭୂଷଣ ଓସ୍‌ଜା ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର, ୨୨।୬ (ସ୍ପୋଟର୍‌ସ ବ୍ୟୁରୋ)- ପ୍ରତିବର୍ଷ ଭଳି ୨୦୧୮ ବର୍ଷ ଲାଗି କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରାଜ୍ୟର ଦୁଇ କ୍ରୀଡ଼ାବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଉଦୀୟମାନ ହକି ଖେଳାଳି ଅମିତ୍‌ ରୋହିଦାସ ଓ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବକ୍ସିଂ କୋଚ୍‌ ବ୍ରଜ ଭୂଷଣ ମହାନ୍ତି ୨୦୧୮ ବର୍ଷ ଲାଗି ଓସ୍‌ଜା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଭାରତୀୟ ହକି ଦଳର ଯୁବ ତାରକା ଅମିତ୍‌ ୨୦୧୮ ବର୍ଷ ଲାଗି ‘ସ୍ପୋଟର୍‌ସପର୍ସନ୍‌ ଅଫ୍‌ ଦି ଇୟର’ ଓ ବ୍ରଜ ଭୂଷଣଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ’ ପୁରସ୍କାର ପ୍ରଦାନ କରାଯିବା ନେଇ ଶୁକ୍ରବାର ଓସ୍‌ଜା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜୁନ ୨୯ରେ ଭୁବନେଶ୍ୱରର ଏକ ଷ୍ଟାର୍‌ ହୋଟେଲରେ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପୁରସ୍କାର ବାବଦକୁ ଉଭୟଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କ୍ରୀଡ଼ାକ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ଓସ୍‌ଜା ପକ୍ଷରୁ ୨୦୧୭ରୁ ପ୍ରତିବର୍ଷ ଏହାର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଆସୁଛି।
ଉଲ୍ଲେଖଯୋଗ୍ୟ, ଅମିତ୍‌ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ଗତ କିଛିବର୍ଷ ହେଲା ଭାରତୀୟ ସିନିୟର ହକି ଦଳରେ ଜଣେ ସ୍ଥାୟୀ ସଦସ୍ୟଭାବେ ସ୍ଥାନ ପାଇଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଭାରତ ପକ୍ଷରୁ ୭୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଛନ୍ତି। ୨୦୧୭ରେ ଢାକାରେ ଅନୁଷ୍ଠିତ ଏସିଆ କପ୍‌ ଓ ନିକଟରେ ଭୁବନେଶ୍ୱରରେ ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ ଫାଇନାଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ପ୍ରମୁଖ ସଦସ୍ୟ ରହିଥିଲେ। ସେହିଭଳି ଭାରତୀୟ ଦଳ ସହ ସେ ୨୦୧୩ରେ ଇପୋଠାରେ ଅନୁଷ୍ଠିତ ଏସିଆ କପ୍‌ରେ ଓ ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଏବଂ ୨୦୧୮ରେ ଜାକର୍ତ୍ତା ଏସିଆନ ଗେମ୍ସ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଓ୍ବାଲର୍‌ଡ ଲିଗ୍‌ ଫାଇନାଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅପରପକ୍ଷରେ ଗଞ୍ଜାମ ଜିଲାର ବ୍ରଜଭୂଷଣ ଜଣେ ଜଣାଶୁଣା ବକ୍ସିଂ ପ୍ରଶିକ୍ଷକ ଭାବେ ଦେଶରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି। ୨୦୧୭ରେ ତାଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନ୍ତର୍ଜାତୀୟ ତାରକା ଶିବ ଥାପ୍ପା, ଡିଙ୍ଗ୍‌କୋ ସିଂ, ଗୁରୁଚରଣ ସିଂ ଓ ବିକାଶ କ୍ରୀଷ୍ଣା ଯାଦବଙ୍କ ପରି ବକ୍ସରଙ୍କୁ ଗଢ଼ିତୋଳିବାରେ ବ୍ରଜଭୂଷଣଙ୍କ ଯଥେଷ୍ଟ ଅବଦାନ ରହିଛି। ସେ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ ବକ୍ସିଂ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ।

Share