Advertisement

ଅମିତ ଧଳ ଗୁଳିକାଣ୍ଡର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ କୋର୍ଟଚାଲାଣ

ଝାରସୁଗୁଡ଼ା ଅଫିସ/ଲଖନପୁର ୨୭ା୬(ଡି.ଏନ୍‌.ଏ.) : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଅମିତ ଧଳ ଗୁଳିକାଣ୍ଡର ୪ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସନ୍ଦୀପ କୁମାର ସିଂହ (୨୫),ରମେଶ ପାଇକରାଏ(୩୦),ଓକିଲ ରାଏ(୨୨) ଓ ମହମ୍ମଦ ମହବାଜ(୨୮) ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଏମାନଙ୍କ ନିକଟରୁ ୪ଟି ବନ୍ଧୁକ, ୨୦ଟି ଅଫୁଟା ଗୁଳି ସହିତ ଓଆର ୨୩ ଏଫ୍‌ ୯୫୪୬ ଓଡି ୨୩ ସି ୬୬୩୮ ନଂ ବିଶିଷ୍ଟ ୨ଟି ବାଇକକୁ ପୋଲିସ ଜବତ କରିଛି । ହତ୍ୟାକାଣ୍ଡ ପଛରେ କୋଇଲା ବ୍ୟବସାୟ ଓ ପୂର୍ବ ଶତୃତା ରହିଛି । ଏହି ଘଟଣାରେ ଆହୁରି ଅଧିକ ଜଣ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ପି ଅଶ୍ବିନୀ ମହାନ୍ତି କହିଛନ୍ତି। ସୂଚନାଥାଉ କି, ଗତ ୨୪ ତାରିଖ ରାତିରେ ଅମିତ ସାଙ୍ଗଙ୍କ ସହିତ ମିଶି ବ୍ରଜରାଜନଗର ବସଷ୍ଟାଣ୍ଡରେ ତାସ ଖେଳୁଥିଲେ। ଏହି ସମୟରେ ୨ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏହି ଗୁଳି ଅମିତଙ୍କ ପେଟ ଓ ଜଙ୍ଘରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଏମ୍‌ସିଏଲ ମଣ୍ଡଳିଆ ସେଣ୍ଟ୍ରାଲ ହସ୍ପିଟାଲ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ମେଡିକାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel