ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର

ଇସ୍‌ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ ହମ୍ମାଦ ଅଲ-ଥାନୀଙ୍କୁ ନେବା ପାଇଁ ଯାଇଥିଲେ। ତାଙ୍କର ଏହି ଭିଡିଓ ପାକିସ୍ତାନରେ ଭାଇରାଲ ହେବା ପରେ ଇମ୍ରାନଙ୍କୁ ଟ୍ରୋଲ କରାଯାଇଥିଲା। ସୂଚନାଯୋଗ୍ୟ, କତରର ଅମୀର ପାକିସ୍ତାନକୁ ୨ଦିନିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଆଣିବା ପାଇଁ ଇମ୍ରାନ ନୁର ଖାଁ ବିମାନବନ୍ଦରକୁ ଯାଇଥିଲେ ଏବଂ ତାଙ୍କର ବ୍ଲାକ ମର୍ସିଡିଜ୍‌ କାରକୁ ନିଜେ ଚଳାଇ ପ୍ରଧାନମନ୍ତ୍ରୀ ବାସଭବନକୁ ଆସିଥିଲେ। ଏହାପରେ ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ଇମ୍ରାନଙ୍କ ଅଫିସିଆଲ ଟୁଇଟରରେ ଶେୟାର କରାଯାଇଥିଲା। କିଛି ଲୋକେ ଏହାକୁ ଦେଖି ତାଙ୍କର ମହାନତା କହି ପ୍ରଶଂସା କରିଥିବା ବେଳେ ଆଉ କେତେକ ସବୁଠାରୁ ଦାମୀ ଡ୍ରାଇଭର କହି ବିଭିନ୍ନ ପ୍ରକାର ସମାଲୋଚନା କରିଛନ୍ତି।

Share