ଅମୃତର ନାଭି

ଡ. ଲାବଣ୍ୟଚନ୍ଦ୍ର ସାହୁ
ଗାଈ ବା ଗାଭୀକୁ ବେଦରେ ଅମୃତର ନାଭି କୁହାଯାଇଛି- ”ମାତା ରୁଦ୍ରାଣାଂ ଦୁହିତା ବସୂନାଂ ସ୍ବସାଦିତ୍ୟାନାମମୃତସ୍ୟ ନାଭିଃ।“ ଅର୍ଥାତ୍‌ ଗାଈ ହେଉଛି ରୁଦ୍ରଗଣଙ୍କ ମାତା, ବସୁମାନଙ୍କର ପୁତ୍ରୀ, ଆଦିତ୍ୟମାନଙ୍କର ଭଗ୍ନୀ ଏବଂ ଦୁଗ୍ଧ, ଦଧି ଓ ଘୃତ ରୂପକ ଅମୃତର ସୃଜନସ୍ଥଳୀ। ଭାରତୀୟ ସଂସ୍କୃତିରେ ଗୋସେବାକୁ ଆର୍ଥିକ ଓ ପରମାର୍ଥିକ ଦୃଷ୍ଟିରୁ ବିଚାର କରାଯାଉଥିଲା। ଦୈନିକ ଅଗ୍ନିହୋତ୍ର ବା ହୋମ ପାଇଁ ଘୃତ ଅନିବାର୍ଯ୍ୟ ଥିଲା। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ପଞ୍ଚାମୃତ ଏବଂ ପ୍ରାୟଶ୍ଚିତ୍ତ କ୍ରିୟାରେ ପଞ୍ଚଗବ୍ୟର ଆବଶ୍ୟକତା ପଡ଼ିଥାଏ। ପୁରାଣ, ସଂହିତାରେ ଗୋମାତାକୁ ସର୍ବଦେବମୟୀ କୁହାଯାଇ ଗାଈର ଗୋବର ଓ ମୂତ୍ରକୁ ମଧ୍ୟ ପବିତ୍ର ମନେ କରାଯାଉଥିଲା। ପ୍ରାଚୀନ ରାଜାମାନଙ୍କ ସମ୍ପଦ କହିଲେ ଗୋସମ୍ପଦକୁ ବୁଝାଉଥିଲା। ଏଣୁ ଦୁର୍ଯ୍ୟୋଧନଙ୍କ ଭଳି ଅଭିମାନୀ କ୍ଷତ୍ରିୟ ବୀର ପାଣ୍ଡବଙ୍କ ଅଜ୍ଞାତବାସ କାଳରେ ଧେନୁ ହରଣ ପାଇଁ ବିରାଟ ରାଜ୍ୟ ଆକ୍ରମଣ କରିଥିଲେ। ଜମଦଗ୍ନି ଆଶ୍ରମରୁ କାମଧେନୁୁ ହରଣ କଥା ପୁରାଣରେ ରହିଛି।
ମହାଭାରତରେ ଭୀଷ୍ମ, ଯୁଧିଷ୍ଠିରଙ୍କୁ ବୁଝାଇଛନ୍ତି ଯେ, ଗାଈ, ଭୂମି, ବିଦ୍ୟା- ଏହି ୩ଟି ଦାନର ଫଳ ଅମାପ। ଭୂମିର ଉର୍ବରତା ଓ ବାତାବରଣ ଶୁଦ୍ଧି ନିମିତ୍ତ ଗାଈ ବଞ୍ଚିଥିବା ବେଳେ ଉପକାରୀ ଓ ମୃତ୍ୟୁ ପରେ ମଧ୍ୟ ତାହାର ସର୍ବାଙ୍ଗ ଉପଯୋଗ ହୋଇଥାଏ। ପ୍ରାଚୀନ ପୁରାଣରେ ଦୂରତାକୁ ‘ଧେନ୍ବନ୍ତର’ରେ ମପାଯାଉଥିଲା, ଯଥା-ଲିଙ୍ଗରାଜ ମନ୍ଦିରଠାରୁ ମେଘେଶ୍ୱର ୧୭୦୦ ଧେନ୍ବନ୍ତରରେ ଅବସ୍ଥିତ। ଗୋଟିକ ପରେ ଗୋଟିଏ ଗାଈକୁ ଠିଆକରି ଦୂରତା ମପାଯାଉଥିଲା। ହଜିଯାଇଥିବା ଗୋରୁକୁ ଖୋଜିବା ଲାଗି ବ୍ୟବହୃତ ହେଉଥିବା ଗବେଷଣା (ଗୋ+ଏଷଣା) ଶବ୍ଦଟି ଆଜି ରିସର୍ଚ୍ଚ ଅର୍ଥରେ ବ୍ୟବହୃତ ହେଉଛି। ଆଜି ବୁଢୀ ଓ ରୋଗଣା ଗୋରୁ ପ୍ରତି ଅବହେଳା ଓ ମାଂସାର୍ଥେ ଚାଲାଣକୁ ନେଇ ବିବାଦ ଦେଖାଦେଉଛି। ହିନ୍ଦୁ ସଂସ୍କୃତିରେ ‘ଗାଈ’ ଆର୍ଥିକ ଓ ପରମାର୍ଥିକ ଦୃଷ୍ଟିରୁ ସ୍ବତନ୍ତ୍ର ବୈଶିଷ୍ଟ୍ୟ ବହନ କରେ।
ଶ୍ରାବସ୍ତୀ, ୩୫, ବସନ୍ତ ବିହାର, ଭୁବନେଶ୍ୱର