Categories: ଜାତୀୟ

ଅମେଠିରୁ ହାରିଲେ, ଓ୍ବାୟନାଡରେ ଜିତିଲେ

ନୂଆଦିଲ୍ଲୀ,୨୪-୫:ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଅମେଠି ଓ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଗୁରୁବାର ତାଙ୍କୁ ଶକ୍ତ ଧକ୍କା ଲାଗିଛି। ରାହୁଲଙ୍କ ପାରମ୍ପରିକ ଆସନ କୁହାଯାଉଥିବା ଅମେଠିରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଭାଜପାର ସ୍ମୃତି ଇରାନୀ ପ୍ରାୟ ୩୦ ହଜାର ଭୋଟରେ ରାହୁଲଙ୍କୁ ପରାଜିତ କରିଛନ୍ତି। ଅପର ପକ୍ଷରେ କେରଳର ଓ୍ବାୟନାଡ ଆସନରୁ ରାହୁଲ ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ପି.ପି. ସୁନୀରଙ୍କଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ରାହୁଲ ଚଳିତ ନିର୍ବାଚନର ଜନମତକୁ ସମ୍ମାନ ଜଣାଇବା ସହ ଭାଜପାର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଅମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିବା ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ୨୦୧୪ରେ ରାହୁଲ ସ୍ମୃତି ଇରାନୀଙ୍କଠାରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ପ୍ରକାଶଥାଉ କି, ପରାଜୟ ଭୟରେ ରାହୁଲ ଓ୍ବାୟନାଡ ଆସନରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପୂର୍ବରୁ ସ୍ମୃତି ଅଭିଯୋଗ ଆଣିଥିଲେ।

Share