Categories: ଖେଳ

ଅମୋଲ ମଜୁମ୍‌ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍‌

ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍‌ଓ୍ବାର୍ଟ ଅମୋଲ ମଜୁମ୍‌ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨ରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ୪୪ ବର୍ଷୀୟ ଅମୋଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୮.୧୩ ଆଭରେଜରେ୧୧, ୧୬୭ ରନ କରିଛନ୍ତି। କିନ୍ତୁ ସେ ଭାରତ ତରଫରୁ ଖେଳିବା ଲାଗି କେବେ ସୁଯୋଗ ପାଇନାହାନ୍ତି। ମୋତେ ଗତ ସପ୍ତାହରେ ଅଫର ଆସିଥିଲା। ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲି। ଏହା ମୋ ପାଇଁ ବଡ଼ ସୁଯୋଗ ଥିଲା। ଦକ୍ଷିଣ ଆଫ୍ରିକା ଭଳି ଏକ ଅନ୍ତର୍ଜାତୀୟ ଦଳ ସହିତ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିବା ମୋ ପାଇଁ ଗୌରବର ବିଷୟ ବୋଲି ମଜୁମ୍‌ଦାର କହିଛନ୍ତି। ଆସାମ ଏବଂ ପରେ ଆନ୍ଧ୍ର ପାଇଁ ଖେଳିବା ପୂର୍ବରୁ ଅମୋଲ ମୁମ୍ବାଇ ତରଫରୁ ଅଧିକ ଦିନ ଧରି ପ୍ରତିନିଧିତ୍ୱ କରିଛନ୍ତି। ସେ ଲିଷ୍ଟ ଏ’ କ୍ରିକେଟରେ ୩୨୮୬ ରନ ସ୍କୋର କରିଛନ୍ତି। ସେ ମଧ୍ୟ ଆଇପିଏଲ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ଏବଂ ନେଦରଲାଣ୍ଡ୍ସ ଜାତୀୟ ଦଳର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରିସାରିଛନ୍ତି। ଅମୋଲଙ୍କୁ କେବଳ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଯୁକ୍ତି ମିଳିଛି। ଅକ୍ଟୋବର ୨ରୁ ବିଶାଖାପାଟଣାଠାରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଅନ୍ୟ ଦୁଇଟି ପୁଣେ (ଅକ୍ଟୋବର ୧୦ରୁ ୧୪) ଏବଂ ରାଞ୍ଚତ୍ (ଅକ୍ଟୋବର ୧୯ରୁ ୨୩)ଠାରେ ଖେଳାଯିବ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ବିପକ୍ଷରେ ଦିନିକିଆ ଓ ଟି୨୦ ସିରିଜ ଜିତିପାରିଥିଲା, ମାତ୍ର ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୦-୩ରେ ପରାସ୍ତ ହୋଇଥିଲା। ମଜୁମଦାର କହିଛନ୍ତି ଏହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଗୁରୁ ଦାୟିତ୍ୱ ବୋଲି ନିଃସନ୍ଦେହରେ କୁହାଯାଇପାରେ। ଚାରି ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନମାନେ ଭାରତର ଟର୍ନିଂ ଟ୍ରାକ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂକୁ ସାମ୍ନା କରି ପାରି ନ ଥିଲେ। ମଜୁମ୍‌ଦାର ତାଙ୍କ ଖେଳିବା ସମୟରେ ସ୍ପିନ ବୋଲିଂକୁ ଖେଳିବାରେ ଓସ୍ତାଦ ଥିଲେ।

Share