Categories: ଖେଳ

ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଛାଡ଼ିଲେ ନାହିଁ ୟୁସୁଫ ପଠାନ

ଭଦୋଦରା,୧୩।୧୨- କ୍ରିକେଟରେ ଅମ୍ପାୟରମାନେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେବା ଏବେ କିଛି ନୂଆ ଘଟଣା ନୁହେଁ। ମାତ୍ର ଖେଳାଳିମାନେ ଏହାକୁ ବିରୋଧକରି ଗ୍ରାଉଣ୍ଡ ଛାଡ଼ିବାକୁ ମନାକରିବା ହୁଏତ ପ୍ରଥମ ଘଟଣା ହୋଇପାରେ। ଏଭଳି ଘଟଣା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଓ ବରୋଦା ମଧ୍ୟରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ର ୪ର୍ଥ ତଥା ଅନ୍ତିମ ଦିନ ଦେବାକୁ ମିଳିଛି। ଘଟଣାଟି ଏପରି ଥିଲା କି, ମୁମ୍ବାଇ ଅଫ୍‌ ସ୍ପିନର ଶଶାଙ୍କ ଆଟର୍ଡେଙ୍କ ବଲକୁ ବରୋଦା ଅଲରାଉଣ୍ଡର ୟୁସୁଫ ପଠାନ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ ବାଉନ୍ସ ହେବାରୁ ପଠାନଙ୍କ ଛାତିରେ ବାଜି ଶର୍ଟ ଲେଗ୍‌ ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା। ଫିଲ୍ଡର ଓ ବୋଲରଙ୍କ ଅପିଲ ପରେ ଫିଲ୍ଡ ଅମ୍ପାୟର ହାତ ଟେକି ଦେଇଥିଲେ। ଏଥିରେ ଚକିତ ହୋଇଯାଇଥିବା ୟୁସୁଫ କ୍ରିଜ୍‌ରେ ଛିଡ଼ାହୋଇ ଅମ୍ପାୟରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବାର ଅପେକ୍ଷା କରିଥିଲେ। ଏହାପରେ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ତଥା ମୁମ୍ବାଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ, ୟୁସୁଫ୍‌ଙ୍କ ସହ କଥା କଟାକଟି ହୋଇଥିଲେ। ମୁମ୍ବାଇ ଉଇକେଟକିପର ଉଭୟଙ୍କୁ ଅଲଗା କରିବା ପରେ ୟୁସୁଫ ପ୍ୟାଭିଲିଅନ ଫେରିଥିଲେ। ଏହି ମ୍ୟାଚ୍‌କୁ ମୁମ୍ବାଇ ୩୦୯ ରନ୍‌ର ବଡ଼ ବ୍ୟବଧାନରେ ଜିତିନେଇଛି।

Share