Categories: କଟକ

‘ଅମ୍ଫନ’ରେ ବେହାଲ କରିବ ନର୍ଦ୍ଦମା ପାଣି

କଟକ ଅଫିସ,୧୭ା୫-ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ ରାଜ୍ୟର ଯେଉଁ ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି, ସେଥିରେ କଟକ ମଧ୍ୟ ସାମିଲ ରହିଛି। ଏହାକୁ ନଜରରେ ରଖି କଟକ ସହରକୁ ଜଳାର୍ଣ୍ଣବରୁ ରକ୍ଷା କରିବା ପାଇଁ ରାଜ୍ୟସଭା ସଦସ୍ୟ ସୁବାସ ସିଂ ପୂର୍ବରୁ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଓଡ଼ିଶା ପ୍ରଗତି ମଞ୍ଚ ଅଭିଯୋଗ କରିଛି। କଟକର ପ୍ରତ୍ୟେକ ଗଳି କନ୍ଦିରେ ଜାଇକା ଦ୍ୱାରା ହେଇଥିବା ଅଧାପନ୍ତରିଆ କାର୍ଯ୍ୟ ପାଇଁ ସହର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଞ୍ଚଳରେ ଥିବା ନାଳନର୍ଦ୍ଦମାରେ ବର୍ଷାଜଳ ଠିକ୍‌ରେ ପ୍ରବାହିତ ନ ହୋଇ ରାସ୍ତାରେ ଚାଲୁଛି। ଜନସାଧାରଣ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏଣୁ ସମସ୍ତ ନାଳ ନର୍ଦ୍ଦମାଦ୍‌ରୁ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କ ଉଦ୍ଧାର କରିବା ପାଇଁ ଓଡିଶା ପ୍ରଗତି ମଞ୍ଚ ମହାନଗର ନିଗମ କମିଶନରଙ୍କ ନିକଟରେ ଦାବି ଜଣାଇଛି। ବର୍ଷାଦିନକୁ ଆଉ ଅଧିକ ସମୟ ନ ଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମଞ୍ଚ ସଦସ୍ୟ ଇଂ ପ୍ରଭାତ ତ୍ରିପାଠୀ, ମହମ୍ମଦ ସଫିକ ୱାରସି, କେଦାରନାଥ ସ୍ବାଇଁ ଦାବି କରିଛନ୍ତି।