ଅମ୍ଫନ୍‌ ପାଇଁ ବନ୍ଦ ରହିଲା ହାଇକୋର୍ଟ

କଟକ ଅଫିସ୍‌,୨୧।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ବୁଧବାର ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ଗୁରୁବାର କରାଯିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍‌ (ଜୁଡିସିଆଲ) ସୂଚନା ଦେଇଛନ୍ତି। ବାତ୍ୟା ଯୋଗୁ ବିଦ୍ୟୁତ୍‌ ସଂଯୋଗ ଓ ଇଣ୍ଟରନେଟ୍‌ ସଂଯୋଗ ପ୍ରଭାବିତ ହେବାର ଆଶଙ୍କା ରହିଛି। କରୋନାଜନିତ କଟକଣା ଯୋଗୁ ବର୍ତ୍ତମାନ ହାଇକୋର୍ଟରେ ସମସ୍ତ ମାମଲା ଭିଡିଓ କନ୍‌ଫରେନ୍ସ ଜରିଆରେ କରାଯାଉଛି। ବାତ୍ୟା ଯୋଗୁ ଠିକ୍‌ ଭାବେ ଭିଡିଓ କନ୍‌ଫରେନ୍ସ ହୋଇପାରିବ ନାହିଁ। ଏଣୁ ବୁଧବାର କୋର୍ଟ କାର୍ଯ୍ୟକୁ ବାତିଲ କରାଯାଇଛି। ଓକିଲ ସଂଘର ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରେଜିଷ୍ଟ୍ରାର୍‌ (ଜୁଡିସିଆଲ୍‌) କହିଛନ୍ତି। ବୁଧବାର ହାଇକୋର୍ଟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଅପରପକ୍ଷେ ଗୁରୁବାର ଶୁଣାଣି ପାଇଁ ତାଲିକା ପ୍ରକାଶ ପାଇଛି। ଦୁଇଜଣିଆ ବିଚାରପତିଙ୍କ ଦୁଇଟି ଡିଭିଜନ୍‌ ବେଞ୍ଚରେ ମାମଲା ଶୁଣାଣି କରାଯିବ। ନୂଆ କୋଠାର ଦ୍ୱିତୀୟ ଫ୍ଲୋର୍‌ରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଗୋଟିଏ ଖଣ୍ଡପୀଠ ବସିବ। ସେହିଭଳି ପ୍ରଥମ ଫ୍ଲୋର୍‌ରେ ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ଜଷ୍ଟିସ୍‌ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଅନ୍ୟ ଏକ ଖଣ୍ଡପୀଠ ବସିବ। ୫ଟି ସିଙ୍ଗଲ୍‌ ବେଞ୍ଚ ମଧ୍ୟ ରହିବେ। ଏଥିରେ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ, ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାରୀ, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ରହିଛନ୍ତି।

Share