ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରେ ପ୍ରସ୍ତୁତ ଥିବା ଓଡ୍ରାଫ୍‌ର ଜିଲା କେନ୍ଦ୍ର ପରିଦର୍ଶନ କରିଥିଲେ। ପୋଲିସ ଓ ଜିଲା ପ୍ରଶାସନ ସହିତ ସମନ୍ବୟ ରକ୍ଷାକରି ବାତ୍ୟାର ମୁକାବିଲା ଲାଗି ପରାମର୍ଶ ଦେଇଥିଲେ ଅଭୟ।
ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୯ ତାରିଖରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ୨୦ ତାରିଖରୁ ପବନର ବେଗ ତୀବ୍ର ହେବାର ସମ୍ଭାବନା ରହିଛି। ତେଣୁ ବ୍ଲକସ୍ତରରେ ବିଡିଓ, ତହସିଲଦାର, ସିଡିପିଓ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି।