ଅମ୍ଫନ ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ,୧୬ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାରେ ବ୍ୟାପକ ଫୋର୍ସ ମୁତୟନ ଓ ଏହା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଶୁକ୍ରବାର ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସ୍ବତନ୍ତ୍ର ଡିଜି ଗୋଇନ୍ଦା, ଅତିରିକ୍ତ ଡିଜି ରେଲଓ୍ବେ, ସମସ୍ତ ରେଞ୍ଜ ଆଇଜି, ଡିଆଇଜି, ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକ, କଟକ ଓ ରାଉରକେଲା ରେଲଓ୍ବେ ପୋଲିସ ଅଧୀକ୍ଷକ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ନିରାପତ୍ତା ବ୍ୟବସ୍ଥା ଓ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପ୍ରସଙ୍ଗର ସମୀକ୍ଷା କରିଛନ୍ତି ଡିଜିପି। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବା କାର୍ଯ୍ୟକ୍ରମ, କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ସରଞ୍ଜାମ ଓ ମାସ୍କ ଯୋଗାଣ, ରାଜ୍ୟର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ପ୍ରସଙ୍ଗ, ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ ସେମାନଙ୍କ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନି, ଯତୀନ୍ଦ୍ର କୋଏଲ, ଏଆଇଜି ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ।

Share